କରୋନାକୁ ହରାଇ ଆରୋଗ୍ୟ ହେଲେ ୨୦ କ୍ୟାନସର ଆକ୍ରାନ୍ତ

କ୍ୟାନସର ଏକ ମାରାତ୍ମକ ରୋଗ। ଯଦି ଜଣେ କ୍ୟାନସର ଆକ୍ରାନ୍ତ କରୋନାରେ ଆକ୍ରାନ୍ତ ହୋଇଥିବେ ତା’ହେଲେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ବଞ୍ଚିବା କଷ୍ଟକର। ହେଲେ ଏଭଳି ସ୍ଥିତିରେ ୨୦ ଜଣ କ୍ୟାନସର ଆକ୍ରାନ୍ତ କରୋନାକୁ ହରାଇ ଆରୋଗ୍ୟ ହୋଇଛନ୍ତି। ମୋଟ୍ ୨୯ ଜଣ କ୍ୟାନସର ରୋଗୀ କରୋନାରେ ଆକ୍ରାନ୍ତ ହେବା ପରେ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ ଏବେ ୨୦ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ଏହି ଆକ୍ରାନ୍ତ ମାନେ କ୍ୟାନସରର ଭିନ୍ନ ଭିନ୍ନ ଷ୍ଟେଜରେ ଥିଲେ। ବାକି ୯ ଜଣଙ୍କ ମଧ୍ୟରୁ ୭ ଜଣ ଏବେ ବି ଚିକିତ୍ସାଧୀନ ରହିଛନ୍ତି ଓ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।ଯଦି ଜଣେ କରୋନାରେ ଆକ୍ରାନ୍ତ ହୋଇଥିବେ ତା’ହେଲେ ସେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ଅନ୍ୟ କୌଣସି ମାରାତ୍ମକ ରୋଗରେ ସେ ଯଦି ଆକ୍ରାନ୍ତ ହୋଇଥିବେ ତା’ହେଲେ ତାଙ୍କୁ ଚିକିତ୍ସା କରିବା କଷ୍ଟକର ବୋଲି ରାଜୀବ ଗାନ୍ଧୀ ହସ୍ପିଟାଲର ଡିନ୍ ଡାକ୍ତର ଜୟନ୍ତୀ ରଙ୍ଗାରାଜନ କହିଛନ୍ତି।ଦେଶରେ କେବଳ କରୋନାରେ ପାଖାପାଖି ୩.୫ % ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ କରୋନା ସହିତ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ମୃତ୍ୟୁ ବରଣ କରିଛନ୍ତି ବୋଲି ନିକଟରେ କେନ୍ଦ୍ର ସରକାର କହିଥିଲେ।

କରୋନା ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇଥାଏ। ତେଣୁ ଚିକିତ୍ସା ବେଳେ ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଯାଇ କରୋନା ମୁକାବିଲା କରାଯାଉଛି। ହେଲେ ସେ ଆଉ କୌଣସି ରୋଗରେ ଆକ୍ରାନ୍ତ ଥିଲେ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଡାକ୍ତରଙ୍କ ପାଇଁ କଷ୍ଟକର ହୋଇଥାଏ ବୋଲି ଜଣାପଡ଼ିଛି।
Spread the love