ଗଞ୍ଜାମରେ ଚିହ୍ନଟ ହେଲେଣି ୨୦୦ ଆନ୍ଧ୍ର ଡିଗ୍ରିଧାରୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ମାଳମାଳ ଆନ୍ଧ୍ର ଡିଗ୍ରିଧାରୀ ରହିଛନ୍ତି। ଶିକ୍ଷକଙ୍କଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଏଭଳି କର୍ମଚାରୀ କାମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ୨ଶହରୁ ଅଧିକ ଶିକ୍ଷକ ଚିହ୍ନଟ ହୋଇ ସାରିଲେଣି। ପୋଷ୍ଟାଲ୍‌ ବିଭାଗର ଜିଡିଏସ୍‌ ପଦରେ ଜାଲ୍‌ ସାର୍ଟିଫିକେଟ ଦେଇ ଆବେଦନ ଘଟଣାର ତଦନ୍ତ ପରେ ଏହା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଆସିଥିବା ଅଭିଯୋଗ ଅନୁସାରେ ଜାଲ୍‌ ଶିକ୍ଷକଙ୍କ ତାଲିକା ୪୪୧ରେ ପହଞ୍ଚିଛି। ତନ୍ମଧ୍ୟରୁ ୯୬ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ୪୭ଜଣ ଚାକିରିରୁ ବିଦା ହୋଇ ସାରିଲେଣି। ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ଆର୍‌ଟିଆଇ ବଳରେ ବିଭିନ୍ନ ବ୍ଲକ୍‌ର ଶିକ୍ଷା ଅଧିକାରୀଙ୍କୁ ବାହାର ରାଜ୍ୟର ଶିକ୍ଷା ପ୍ରମାଣପତ୍ର(ବିଇଡି) ଦାଖଲ କରି ଚାକିରି କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ତାଲିକା ମାଗିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ଟି ବ୍ଲକ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ସଂଖ୍ୟା ଦୁଇଶହ ଟପି ସାରିଲାଣି। ସେଥିମଧ୍ୟରୁ ସା‌ନଖେମୁଣ୍ଡି ବ୍ଲକ୍‌ରେ ସର୍ବାଧିକ ୬୧ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଥିବା ଏହି ତଥ୍ୟରୁ ଜଣାପଡ଼ିଛି।

ଆହୁରି ମଧ୍ୟ ଜଣାପଡ଼ିଛି ‌ଯେ ଅଧିକାଂଶ ଶିକ୍ଷକ ଆନ୍ଧ୍ରର ବିଭିନ୍ନ ବିଶ୍ବବିଦ୍ୟାଳୟର ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି। ଏହା ସହ ରାଜ୍ୟ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ବିଇଡି ପ୍ରମାଣପତ୍ର ଦେଇ ବହୁ ଶିକ୍ଷକଶିକ୍ଷୟିତ୍ରୀ ଚାକିରି କରୁଛନ୍ତି। ଏମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ପରେ ବହୁ ଜାଲ୍‌ ଶିକ୍ଷକଶିକ୍ଷୟିତ୍ରୀ ବାହାରିବେ। ଏଣୁ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Spread the love