ଫ୍ରାନ୍ସ ସ୍ଥିତି ଅଣାୟତ୍ତ : ବିକ୍ଷୋଭକାରୀ ପୋଡ଼ିଲେଣି ୨୦୦୦ରୁ ଅଧିକ କାର୍

ପ୍ୟାରିସ୍ : ଫ୍ରାନ୍ସରେ ୧୭ ବର୍ଷୀୟ ବାଳକ ନହେଲଙ୍କ ହତ୍ୟା ପରେ ଚତୁର୍ଥ ଦିନ ପାଇଁ ହିଂସା ଜାରି ରହିଛି। ଏହି କାରଣରୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ତାଙ୍କ ଜର୍ମାନୀ ଗସ୍ତକୁ ସ୍ଥଗିତ ରଖିଛନ୍ତି। ସେ ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟାଇନମିୟରଙ୍କ ସହ କଥା ବାର୍ତ୍ତା କରିବା ପରେ ତାଙ୍କ ଗସ୍ତକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ। ରବିବାରଠାରୁ ତିନି ଦିନ ଧରି ସେ ଜର୍ମାନୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ସେପଟେ ଶନିବାର ଅପରାହ୍ନରେ ନହେଲଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ଅନ୍ୟପକ୍ଷରେ ଫ୍ରାନ୍ସରେ ବ୍ୟାପିଥିବା ହିଂସା ଏବେ ବେଲଜିୟମରେ ପହଞ୍ଚିଛି । ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ଜେରାଲ୍ଡ ଡର୍ମାନିନ୍ କହିଛନ୍ତି ଯେ ବିକ୍ଷୋଭକାରୀମାନେ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨,୦୦୦ରୁ ଅଧିକ କାର୍ ପୋଡ଼ି ଦେଇଛନ୍ତି। ବିକ୍ଷୋଭରେ ୨୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଦୁର୍ବୃତ୍ତମାନେ ୭୦୦ରୁ ଅଧିକ ଦୋକାନ, ସୁପରମାର୍କେଟ, ରେଷ୍ଟୁରାଣ୍ଟ ଓ ବ୍ୟାଙ୍କରେ ନିଆଁ ଲଗାଇ ଭଙ୍ଗାରୁଜା କରିଛନ୍ତି ।  ଚତୁର୍ଥ ଦିନରେ ପୁଲିସ ୧୩୦୦ ଦଙ୍ଗାକାରୀଙ୍କୁ ଗିରଫ କରିଛି। ନ୍ୟାୟ ମନ୍ତ୍ରୀ ଏରିକ୍ ଡୁପଣ୍ଟ ମୋରେଟି କହିଛନ୍ତି ଯେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରୁ ୩୦% ୧୮ ବର୍ଷରୁ କମ୍ ବୟସର।

ସେପଟେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ବ୍ରିଟିଶ ଗାୟକ ଏଲଟନ ଜନଙ୍କ କନସର୍ଟକୁ ଉପଭୋଗ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ପରେ ସେମାନଙ୍କୁ ସମାଲୋଚନା କରାଯାଉଛି। ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ ରାଷ୍ଟ୍ରପତିଙ୍କ ଦାୟିତ୍ୱହୀନ ମନୋଭାବ ବୋଲି କହିଛନ୍ତି।

Spread the love