2080 ବେଳକୁ ଶହେ କୋଟି ଲୋକଙ୍କ ଜୀବନ ନେବ ଡେଙ୍ଗୁ !

ଜଙ୍ଗଲ କ୍ଷୟ ତଥା ଶିଳ୍ପର ଅଭିବୃଦ୍ଧି ଯୋଗୁ ଗ୍ଲୋବାଲ୍‌ ଓ୍ବାର୍ମିଂ ବଢ଼ିବାରେ ଲାଗିଛି। ଫଳରେ ଜଳାବାୟୁ ପରିବର୍ତ୍ତନ ଧାରା ଜାରି ରହିଛି। ଏହାର ପ୍ରଭାବରେ ଡେଙ୍ଗୁ, ଜିକା ସମେତ ମଶାଯୋଗୁ ସୃଷ୍ଟି ହେଉଥିବା  ରୋଗୀଙ୍କ ସଂଖ୍ୟା  ବୃଦ୍ଧି ପାଉଛି। ଏନେଇ ପ୍ଲସ୍‌ ନେଗେଲେକ୍ଟେଡ୍‌ ଟ୍ରପିକାଲ ଡିଜିଜ୍‌ ଜର୍ନାଲ୍‌ରେ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି। ଆଉ ପ୍ରାୟ 60 ବର୍ଷ ପରେ ଅର୍ଥାତ୍‌ 2080 ବେଳକୁ ଏସବୁ ରୋଗରେ ପୃଥିବୀର ଶହେ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

ମଶାଙ୍କ ବଂଶ ବିସ୍ତାର ପାଇଁ ଅନୁପଯୋଗୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଉପଯୋଗୀ କ୍ଷେତ୍ର ପ୍ରସ୍ତୁତ ହେବାରେ ଲାଗିଛି। ଅନୁକୁଳ ସ୍ଥିତିରେ ମଶାଙ୍କ ଦ୍ୱାରା ବିଭିନ୍ନ ସଂକ୍ରମଣ ବୃଦ୍ଧି ପାଉଛି। 2015ରେ ବ୍ରାଜିଲ୍‌ରେ ଜିକା ଭାଇରସ୍‌ ବ୍ୟାପିବା ଦ୍ୱାରା ଗବେଷକଙ୍କର ଚିନ୍ତା ବଢ଼ିଯାଇଥିଲା। ପ୍ରତିକୁଳ ସ୍ଥିତିରେ ମଶାବଂଶ କିଭଳି ବଢୁଛି ସେ ନେଇ ଅଧିକ ଗବେଷଣା କରାଯାଇଥିଲା। ଜଳବାୟୁ ପରିବର୍ତ୍ତନ ମଶାଙ୍କ ବଂଶ ବୃଦ୍ଧିରେ ସହାୟକ ହେଉଥିବା ଜଣା ପଡ଼ିଥିଲା ବୋଲି ଆମେରିକା ଜର୍ଜ ଟାଉନ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର କୋଲିନ୍‌ ଜେ କାର୍ଲସନ୍‌ ସୂଚନା ଦେଇଛନ୍ତି। ସେହିଭଳି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବିଭିନ୍ନ ରୋଗର ସଂକ୍ରମଣରେ ମଶା ପ୍ରମୁଖ ଭୂମିକା ଗ୍ରହଣ କରିଛି। ମଶା ବଂଶ ନିୟନ୍ତ୍ରଣ ନ ହେଲେ ଏହା ପୃଥିବୀ ପାଇଁ ବେଶ୍‌ ମାରାତ୍ମକ ହେବ।

Spread the love