କୋଠାରେ ଭୟାବହ ଅଗ୍ନିକାଣ୍ଡ, ୨୦ ଜଣଙ୍କ ମୃତ୍ୟୁ, ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ହୃଦୟ ବିଦାରକ ଘଟଣା। ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ତୃତୀୟ ମହଲାର ତଲାସି ବାକି ରହିଛି। ମୁଖ୍ୟ ଫାୟର ଅଫିସର ଅତୁଲ ଗର୍ଗ କହିଛନ୍ତି, କୋଠାରେ ଏବେ ମଧ୍ୟ ୩୦ରୁ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ସଂପ୍ରତି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କହିଛନ୍ତି।

ଶୁକ୍ରବାର ସନ୍ଧ୍ୟା ୪ଟା ୪୫ରେ ଏକ ଅଫିସରେ ନିଆଁ ଲାଗିଥିବା ଘଟଣା ବିଷୟରେ ମୁଣ୍ଡକା ପୋଲିସ ଷ୍ଟେସନକୁ ଖବର ଆସିଥିଲା। ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ଅଧିକାରୀ ଏବଂ କର୍ମଚାରୀ କୋଠାର କବାଟ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନିଆଁ ଲିଭା କାର୍ଯ୍ୟରେ ମୋଟ୍ ୯ ଦମକଳ ବାହିନୀ ଲାଗିଛନ୍ତି। ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରୁଛି।

ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ଏହି କୋଠା ତିନି ମହଲାର। ସାଧାରଣତଃ ଏହି କୋଠାରେ କମ୍ପାନୀଗୁଡିକ ପାଇଁ ରୁମ ଉପଲବ୍ଧ କରାଯାଏ। କୋଠାର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ, ଦେଖୁ ଦେଖୁ ନିଆଁ ଅନ୍ୟ କୋଠାକୁ ବ୍ୟାପି ଯାଇଥିଲା। ପୋଲିସର କମ୍ପାନୀର ମାଲିକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

Spread the love