୨୦ ଦେଶର ୨୧ ପ୍ରତିନିଧିଙ୍କୁ କିଟ୍ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା: ଅଛନ୍ତି ୨୦ ଦେଶର ସାଂସଦ ଓ ୫ ଦେଶର କୂଟନୀତିଜ୍ଞ
୨୦ ଦେଶର ୨୧ ପ୍ରତିନିଧିଙ୍କୁ କିଟ୍ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା । କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ସମ୍ମାନଜନକ ୟୁଥ-୨୦ କନ୍ସଲଟେସନ୍ ଅବସରରେ ଆମେରିକା, ବ୍ରିଟେନ୍, ଜର୍ମାନୀ, ୟୁକ୍ରେନ୍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲଗେରିଆ, କଙ୍ଗୋ, ଆଇଭରି କୋଷ୍ଟ ଆଦି ୨୦ ଦେଶର ସାଂସଦଙ୍କ ସମେତ ୫ଟି ଦେଶର କୂଟନୀତିଜ୍ଞଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । କିଟ୍ ପକ୍ଷରୁ ଆୟୋଜିତ ଏହି ନାଗରିକ ସମ୍ବର୍ଦ୍ଧନାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ରାଜ୍ୟପାଳ ସମସ୍ତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରି ବସୁଧୈବ କୁଟୁମ୍ବକମ୍ ଉପରେ ଗୁରୁତ୍ୱ ଦେଇଥିଲେ । ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧି କିଟ୍ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ୟୁଥ୍-୨୦ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କିଟ୍ ଓ କିସ୍ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିଥିଲେ । କିଟ୍ ଓ କିସ୍ ପରିଦର୍ଶନ କରି ସେମାନେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିଥିଲେ । ଏଥିସହ କିଟ୍ ପକ୍ଷରୁ ମିଳିଥିବା ଆତିଥ୍ୟରେ ସେମାନେ ଅଭିଭୂତ ବୋଲି କହିଛନ୍ତି ।
ଓଡ଼ିଶାବାସୀ ଅତ୍ୟନ୍ତ ଭଲ ଓ ଅତିଥି ପରାୟଣ କହିବା ସହ ଓଡ଼ିଶା ଗସ୍ତକୁ କେବେବି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି । କିଟ୍ ଓ କିସ୍ ପ୍ରତିଷ୍ଠାଟା ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ, ତାଙ୍କ ଅନୁରୋଧ ରକ୍ଷା କରି ୨୦ଟି ଦେଶର ସାଂସଦ, କୁଟନୀତିଜ୍ଞ ଓ ବିଶିଷ୍ଟ ଶିକ୍ଷାବିତମାନେ ଏଠାକୁ ଆସିଥିବାରୁ ଏହା କିଟ୍ ତଥା ଓଡ଼ିଶା ପାଇଁ ଗୌରବର ବିଷୟ । ସେଥିପାଇଁ ସେ ସମସ୍ତ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରଗ୍ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ, ମୁଖ୍ୟ ସଚିବ ପ୍ରଦୀପ ଜେନା, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ ପ୍ରମୁଖ ଉପସ୍ଥିତ ଥିଲେ ।