ବିଛିନ୍ନାଞ୍ଚଳ ଝାଡ଼ଖଣ୍ଡରେ ୨୧ ଶହ ‘ଛବିଳ ମଧୁ ବର୍ଣ୍ଣବୋଧ’ ବଣ୍ଟନ

ରାଇରଙ୍ଗପୁର: ବିଚ୍ଛିନ୍ନାଞ୍ଚଳ ଝାଡ଼ଖଣ୍ଡରେ ୨୧ ଶହ ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି। ଜାମସେଦପୁର ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସମିତିର ସଦସ୍ୟ ବୃନ୍ଦ କେନ୍ଦ୍ରୀୟ ସଭାପତି ପ୍ରଫେସର ଡକ୍ଟର ଅଦ୍ଵୈତ କୁମାର ପାତ୍ର, ଉପସଭାପତି ପଦ୍ମନାଭ ସାମଲ, ଉପସଭାପତି ତଥା ଆଇନଜୀବୀ ରବୀନ୍ଦ୍ରନାଥ ଶତପଥୀ, ସାଧାରଣ ସଂପାଦକ ରବୀନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଭୀମସେନ ମହାପାତ୍ର ବିଛିନ୍ନାଞ୍ଚଳ ଝାଡ଼ଖଣ୍ଡ ଗସ୍ତରେ ଆସି ବହଡାଗୋଡାସ୍ଥିତ ଗୁହିଆପାଳ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଓଡ଼ିଆ ଭାଷା ସଂସ୍କୃତିକୁ ଓଡିଶା ବାହାରେ ପ୍ରଚାର ପ୍ରସାର ସହ ସୁରକ୍ଷା ଦେବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେବା ସହ ବିଦ୍ୟାଳୟରେ ୬୦୦ ଖଣ୍ଡ ଓଡ଼ିଆ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବହଡାଗୋଡାବ୍ଲକରେ ଓଡ଼ିଆ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନଙ୍କୁ ନିଶୁଳ୍କ ପ୍ରଦାନ କରିଥିଲେ। ଏହି ସଭାରେ ଉତ୍କଳ ସମ୍ମିଳନୀରେ କେନ୍ଦ୍ରୀୟ ସଭାପତି ପ୍ରଫେସର ଡକ୍ଟର ଅଦ୍ଵୈତ କୁମାର ପାତ୍ର ପୌରହିତ୍ୟ କରିବା ସହ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ଦିନେଶ କୁମାର ଷଡଙ୍ଗୀ ଉପସ୍ଥିତ ଥିଲେ।
ସେହିପରି  ପରଦିନ ଜାମସେଦପୁରସ୍ଥିତ ଗୋଲମୁରୀ ଉତ୍କଳ ସମାଜ ବିଦ୍ୟାଳୟ ପ୍ରେକ୍ଷାଳୟରେ ଏକ ବୈଠକର ଆୟୋଜନ ହୋଇଥିଲା। ସେଠାରେ ୧୫୦୦ ଛବିଳ ମଧୁ ବର୍ଣ୍ଣବୋଧ ୨୧ଟି ବିଦ୍ୟାଳୟ ମଧ୍ୟରେ ବଣ୍ଟନ କରାଯାଇଛି। ପୂର୍ବ ସିଂହଭୂମି ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ତଥା କେନ୍ଦ୍ରୀୟ ସମିତିର ଉପସଭାପତି ଆଇନଜୀବୀ ରବୀନ୍ଦ୍ରନାଥ ଶତପଥୀ ସଭାରେ ପୌରହିତ୍ୟ କରିବା ସହ ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ସିଂହଭୂମି ଜିଲ୍ଲା ଉତ୍କଳ ସମ୍ମିଳନୀ ସଚିବ ପ୍ରଦୀପ କୁମାର ଦାସ ସଭା ସଂଚାଳନ କରିଥିଲେ। ଏହି ସଭାରେ କେନ୍ଦ୍ରୀୟ ସଭାପତି ପ୍ରଫେସର ଡକ୍ଟର ପାତ୍ର ନିଜ ବକ୍ତବ୍ୟରେ ବିଛିନ୍ନାଞ୍ଚଳରେ କିପରି ମାତୃଭାଷା ଓଡ଼ିଆକୁ ସୁଦୃଢ କରାଯିବ ପ୍ରତ୍ୟେକ ଓଡ଼ିଆ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷା ଓଡିଆରେ ଅଧ୍ୟୟନରୁ ବଞ୍ଚିତ ନହୁଅନ୍ତି ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାନଙ୍କୁ ପରାମର୍ଶ ଦେଇଥିଲେ। ସଚିବ ପ୍ରଦୀପ କୁମାର ଦାସ ଓଡ଼ିଆ ଭାଷାରେ ଖଡ଼ଗପୁର ରେଳ ଷ୍ଟେସନ ଠାରୁ ଆଦିତ୍ୟପୁର ପର୍ଯ୍ୟନ୍ତ ପ୍ରତ୍ୟେକ ରେଳ ଷ୍ଟେସନ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ନାମ ଫଳକ ଲେଖା କରାଇବା ପାଇଁ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ପ୍ରଫେସର ଡକ୍ଟର ପାତ୍ର ଏବଂ ସାଧାରଣ ସଂପାଦକ ରବୀନ୍ଦ୍ର କୁମାର ମିଶ୍ରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ କି ଯେତେ ଶୀଘ୍ର ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରି କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ।
ଜାମସେଦପୁର ଉତ୍କଳ ଆସୋସିଏସନର ସାଧାରଣ ସଂପାଦକ ତରୁଣ କୁମାର ମହାନ୍ତି ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ସୁଦୂର ପ୍ରଚାର ପ୍ରସାର ପାଇଁ ଆସୋସିଏସନ ପକ୍ଷରୁ କରାଯାଇଥିବା ଆକାଶବାଣୀ ଦ୍ଵାରା କାର୍ଯ୍ୟକ୍ରମ ତଥା ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ। ଗୋଲମୁରୀ ଉତ୍କଳ ସମାଜର ସାଧାରଣ ସଂପାଦକ ଶ ପ୍ରଦୀପ କୁମାର ଜେନା ନବମ ଓ ଦଶମ ଶ୍ରେଣୀ ନିମନ୍ତେ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ଦାବୀ ଉପସ୍ଥାପନ କରିଥିଲେ। ଉତ୍କଳ ସମ୍ମିଳନୀର ସାଧାରଣ ସଂପାଦକ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ଉତ୍କଳ ସମ୍ମିଳନୀ ଦ୍ଵାରା ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ବେତନ ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ସହ ଆଲୋଚନା ପୂର୍ବକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ ବୋଲି ଆଶ୍ଵାସନା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ପୂର୍ବ ସିଂହଭୂମି ଜିଲ୍ଲା ଉତ୍କଳ ସମ୍ମିଳନୀର ପର୍ଯ୍ୟବେକ୍ଷକ  ଜୟରାମ ଦାସ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉତ୍କଳ ସମ୍ମିଳନୀ ପୂର୍ବ ସିଂହଭୂମି ଜିଲ୍ଲା ଝାଡ଼ଖଣ୍ଡର ଉପସଭାପତି ପ୍ରବୀଣ କୁମାର ଦାଶ, ରାମଚନ୍ଦ୍ର ସୋରେନ୍ ସହ ବସନ୍ତ କୁମାର ବାସ୍କେ, ଦିବାକର ମହାରଣା, ଶରତ ପାଟ୍ଟଶାଣୀ, ବସନ୍ତ ଶ୍ରୀ ଚନ୍ଦନ, ନିରଞ୍ଜନ ମହାପାତ୍ର, ଅଜୟ କୁମାର ବେହୁରା, ଅଶୋକ ଦାସ, ରାଜକିଶୋର ସାହୁ, ସଞ୍ଜୟ ସାହୁ, ପ୍ରଶାନ୍ତ କୁମାର ଦାସ ଙ୍କର ଭୂମିକା ମହତ୍ଵପୁର୍ଣ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ପୂର୍ବ ସିଂହଭୂମି ଶାଖାର ୪୦ ଟି ବିଦ୍ୟାଳୟ ର ୬୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଉତ୍କଳ ସମାଜ ର ଉପସଭାପତି ଅଶୋକ କୁମାର ସାମନ୍ତ, ଟୁଇଲାଡୁଙ୍ଗରୀ ଓଡ଼ିଆ ବିଦ୍ୟାଳୟ ସମ୍ପାଦକ ବିଧୁ ଭୂଷଣ ଭୂୟାଁ, ତ୍ରିଲୋଚନ ବିଦ୍ୟାପୀଠ ଛୋଲାଗୋଡାର ସମ୍ପାଦକ ନିଶିତ କୁମାର ଦାସ ଏବଂ ଅନ୍ୟ ଗଣମାନ୍ୟ ଉପସ୍ଥିତ ଥିଲେ।
Spread the love