ବିଜାପୁର ଏନକାଉଣ୍ଟର: ସହିଦ ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି : ୧୧ ନିଖୋଜ
ନୂଆଦିଲ୍ଲୀ: ଛତିଶଗଡ଼ ସୁକମା ଓ ବିଜାପୁର ସୀମା ସ୍ଥିତ ଟେକଲଗୁଡା ଗାଁ ନିକଟରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ୨୨ ଯବାନ ସହିଦ ହୋଇଛନ୍ତି। ଯବାନଙ୍କ ମୃତଦେହ ଏବେ ବି ସେଠାରେ ବିଭିନ୍ନ ସ୍ଥାନରେ ପଡ଼ିରହିଛି। ଏବେ ବି ୧୧ ଜଣ ଯବାନ ନିଖୋଜ ଅଛନ୍ତି। ପ୍ରଥମେ ୫ ଯବାନ ସହିଦ ହୋଇଥିବା ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ବଢି ୨୨ ହୋଇଛି। ତେବେ ଶହୀଦ ଯବାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।
ମାମଲାରେ ୩୨ ଯବାନ ଆହତ ହୋଇଛନ୍ତି। ବିଜାପୁର ହସ୍ପିଟାଲରେ ୨୫ ଯବାନଙ୍କ ଚିକିତ୍ସା ଚାଲିଛି। ଛତିଶଗଡ଼ ପୋଲିସ ଗୁଳି ବିନିମୟରେ ୧୯ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି।ବିଜାପୁରରେ ନିଖୋଜ ଯବାନଙ୍କ ତଲାସୀ ଅଭିଯାନ ଜୋରସୋରରେ ଚାଲିଛି। ୬୦୦ ଯବାନଙ୍କ ବାଟାଲିୟନ ଏକ ନମ୍ବର ସ୍ଥାନକୁ ଯାଇଛି। ଏହି ଅଞ୍ଚଳ ରକ୍ତମୁଖ ନକ୍ସଲଙ୍କ ହିଡମା ଗଡ। ସେଥିପାଇଁ ପୁଣି ଏନକାଉଣ୍ଟର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମାମଲାରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ଶୁକ୍ରବାର ରାତିରେ ବିଜାପୁର ଓ ସୁକମା ଜିଲ୍ଲାର କେନ୍ଦ୍ର ରିଜର୍ଭ ପୋଲିସ ବଳର କୋବ୍ରା ବାଟାଲିୟନ, ଡିଆରଜି ଓ ଏସଟିଏଫ ଦଳଙ୍କୁ ନକ୍ସଲ ବିରୋଧୀ ଅଭିଯାନ ପାଇଁ ପଠାଯାଇଥିଲା। ନକ୍ସଲ ବିରୋଧୀ ଅଭିଯାନରେ ବିଜାପୁର ଜିଲ୍ଲାର ଉସୁର, ସୁକମା, ମୀନପା, ତରେମ, ନରସାପୁରମର ପାଖାପାଖି ୨ ହଜାର ଯବାନ ସାମିଲ ଥିଲେ। ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ କଥାବାର୍ତ୍ତା କରି ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଓ ସିଆରପିଏଫ ମହାନିର୍ଦେଶକଙ୍କୁ ତତ୍କାଳ ଛତିଶଗଡ଼ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।