ଜଣେ ସଫଳ ଜନନାୟକଙ୍କ କାହାଣୀ…

୨୦୦୯ରେ ବିଜେପି ସହ ସମ୍ପର୍କ ତୁଟାଇଲା ପରେ ବିଜେଡ଼ିର ଭବିଷ୍ୟତ ନେଇ ଅନେକଙ୍କ ଆଶଙ୍କା ଥିଲା ।  ୨୦୧୪ ପରଠୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଣି, ପାଣି, ଚିଟଫଣ୍ଡ ଭଳି ଦୁର୍ନୀତି ଏବଂ ନାରୀ ନିର୍ଯାତନା ପ୍ରସଙ୍ଗ ଧରି ବିରୋଧୀ ଦଳ ବିଜେଡ଼ି ସରକାରକୁ ଘାଣ୍ଟିଲେ । ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତଙ୍କ ଭଳି ପୁରୁଖା ବିଜେଡ଼ି ନେତାଙ୍କୁ ସାଙ୍ଗରେ ଧରି ବିଜେପିବାଲା ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଚଉଦ ପୁରୁଷ ଉଦ୍ଧାର କଲେ । ହେଲେ ଜନସାଧାରଣଙ୍କ ଉପରେ ତାହାର କିଞ୍ଚିତ ପ୍ରଭାବ ପଡ଼ିଲାନି । ୧୧୩ଟି ଆସନ ସହ ପଞ୍ଚମ ଥର ପାଇଁ ବିଜେଡ଼ିକୁ ଶାସନ ଗାଦିରେ ବସାଇଲେ ଓଡ଼ିଶାବାସୀ ।
ଏହା ହେଉଛି ଆଞ୍ଚଳିକ ଦଳ ବିଜେଡ଼ିର ଲମ୍ବା ବିଜୟ ଯାତ୍ରା । ଦେଶର ରାଜନୈତିକ ଇତିହାସରେ ଏକ ବ୍ୟତିକ୍ରମ ତଥା ସଫଳ ଆଞ୍ଚଳିକ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି । ଦେଶବ୍ୟାପୀ ମୋଦି ଲହରି ଖେଳୁଥିବା ବେଳେ ଓଡ଼ିଶାବାସୀ ବିଜେଡ଼ିକୁ ଛାଡ଼ି ପାରିନାହାନ୍ତି । ନିର୍ବାଚନରେ ସରକାର ବିରୋଧୀ ଜନମତ ବା ଆଣ୍ଟି ଇନକମ୍ବେନ୍ସୀ ଫ୍ୟାକ୍ଟର୍ କାମ କରିନାହିଁ । ବିଜେଡ଼ିର ଏହି ଇର୍ଷାନ୍ୱିତ ସଫଳତା ଦେଶର ରାଜନୈତିକ ପଣ୍ଡିତମାନଙ୍କୁ ବିସ୍ମିତ କରୁଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଦୃଢ଼ ନେତୃତ୍ୱ ଆଗରେ ନରେନ୍ଦ୍ର ମୋଦି ବି ତୁଚ୍ଛ ହୋଇଛନ୍ତି ।
ସଫଳତାର ସିଢ଼ି ଚଢୁଥିବା ଏହି ବିଜେଡ଼ି ଆଜି ୨୩ ବର୍ଷରେ ପଦାର୍ପଣ କରିଛି । ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳୁଛି । ଦଳର ଲୋକପ୍ରିୟତାକୁ ଅତୁଟ ରଖି ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାର ସଂକଳ୍ପକୁ ଉଜାଗର ରଖି ଆଗକୁ ବଢ଼ୁଛି । ଏଥିପାଇଁ କୌଣସି ସୁଯୋଗକୁ ନେତୃତ୍ୱ ହାତଛଡ଼ା କରୁନାହାନ୍ତି ।
କେବଳ ନବୀନ ପଟ୍ଟନାୟକଙ୍କ ନାଁରେ ଦଳକୁ ଏଭଳି ଲଗାତର ସଫଳତା ସଫଳତା ମିଳୁଛି ବୋଲି ଅନେକ ବିଶ୍ୱାସ କରନ୍ତି । ଏହା କେତେକାଂଶରେ ସତ ହୋଇଥିଲେ ବି ନବୀନ ବାବୁଙ୍କ କାର୍ଯ୍ୟକ୍ରମ, ଆଭିମୁଖ୍ୟ ଓ ରଣନୀତିକୁ ଅନୁଧ୍ୟାନ କଲେ ବିଜେଡ଼ି ସଫଳତାର ଆହୁରି ଅନେକ କାରଣ ମିଳିଯାଉଛି ।
ଉଦାହରଣସ୍ୱରୂପ, ଚଳିତ ନିର୍ବାଚନ ସରୁ ସରୁ ବିଜୟର ଉଲ୍ଲାସରେ ଭାସି ଦଳୀୟ ସଂଗଠନ ଓ କାର୍ଯ୍ୟକ୍ରମରୁ ଦୂରେଇ ନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ବିଜେଡ଼ି ସପକ୍ଷ ଜନମତରେ ଅଧିକ ବିନମ୍ର ଓ ଉତ୍ତରଦାୟିତ୍ୱ ନେଇଛନ୍ତି । ସରକାରକୁ ଲୋକାଭିମୁଖୀ ଓ ଦଳକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ରଣନୀତି ଜାରି ରଖିଛନ୍ତି । ଦଳ ଓ ସରକାର ଭିତରେ ସମନ୍ୱୟ ରକ୍ଷା କରାଯାଉଛି । ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହିବାକୁ ବିଧାୟକ ଓ ସାଂସଦମାନଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିଛନ୍ତି । ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ସେମାନଙ୍କ ସୁଖଦୁଃଖରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ କଡ଼ା ହୁକୁମ୍ ଜାରି କରିଛନ୍ତି ।
ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଏଥର ଅଧିକ ଗୁରୁତ୍ୱ ଦେଇ ସରକାରରେ ଅନେକ ପରିବର୍ତ୍ତନ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ୫-ଟି ଓ ‘ମୋ ସରକାର’ କାର୍ଯ୍ୟକ୍ରମ ନବୀନ ବାବୁ ଓ ତାଙ୍କର ବିଜେଡ଼ି ପାଇଁ ଆଉ ଏକ ମାଇଲ୍ ଖୁଣ୍ଟ ଭାବେ ଛିଡ଼ାହେଲାଣି । ଏହାର ସିଧାସଳଖ ପ୍ରଭାବ ଲୋକେ ଆସ୍ତେ ଆସ୍ତେ ଅନୁଭବ କଲେଣି । ଡାକ୍ତରଖାନା, ଥାନା ଉପରେ ଲୋକଙ୍କ ଭରସା ଆସୁଛି । ଦଳୀୟସ୍ତରରେ କର୍ମୀଙ୍କ ସହ ସିଧାସଳଖ ଯୋଡି ହେବାକୁ ବି ଶକ୍ତି ଲଗାଯାଇଛି । ଏହିକ୍ରମରେ ଏଥର କୋଟିଏ କର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ କରି ସେମାନଙ୍କ ସହ ସିଧାସଳଖ ଯୋଡି ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ବିଜେଡ଼ି କର୍ମୀଙ୍କୁ ବୀମାଭୁକ୍ତ କରିବାକୁ ବି ଯୋଜନା ହୋଇଛି । ଆଜି ପ୍ରତିଷ୍ଠା ଦିବସରେ ହୁଏତ ଏହି ଘୋଷଣା କରିପାରନ୍ତି ସୁପ୍ରିମୋ । ବିଜେଡ଼ିର ଏହି ସବୁ ରଣନୀତି ପରୋକ୍ଷରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବିଜେଡ଼ିର ପତିଆରା ଆଗକୁ ଆହୁରି ବଢ଼ିବ ବୋଲି ରାଜନୈତିକ ମହଲ ଆକଳନ କରୁଛନ୍ତି ।
ମୁଖ୍ୟ ବିରୋଧୀ ଦଳ ଭାବେ ଛିଡ଼ା ହୋଇଥିବା ବିଜେପି ସହ ବିଜେଡ଼ିର ପରିବର୍ତ୍ତିତ ରାଜନୈତିକ ସମୀକରଣ ବି ଗୁରୁତ୍ୱ ବହନ କରୁଛି । ନିର୍ବାଚନ ପରେ ପରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ସହ ହାତ ମିଳାଇଥିବାରୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଜେଡ଼ିର ପରିବର୍ତ୍ତିତ ଆଭିମୁଖ୍ୟକୁ ଲୋକଙ୍କ ସହ ପ୍ରତାରଣା ଆଖ୍ୟା ଦିଆଯାଉଛି । ତେବେ ଏହାଦ୍ୱାରା ବିଜେଡ଼ି ଅପେକ୍ଷା ବିଜେପିର ଯେ ଅଧିକ କ୍ଷତି ତାହା ବି ଲୋକ ବୁଝିଗଲେଣି । ଓଲଟି କେନ୍ଦ୍ର ସରକାରଙ୍କ ସହ ସୁସମ୍ପର୍କ ଯୋଗୁଁ ଓଡ଼ିଶା ଅଧିକ ଲାଭବାନ ହେବ ବୋଲି ଧାରଣା ସୃଷ୍ଟି କରିବାରେ ବିଜେଡ଼ି ସଫଳ ହେଲାଣି ।
ଦଳ ପାଇଁ କେତେବେଳେ ହୁଏତ ଏହା ଚାଲେଂଜ ହୋଇପାରେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ନିଜ ଗୋଢ଼ରେ କୁରାଢ଼ୀ ମାରିବା ସଦୃଶ କଥା । ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ଭଳି ଦଶା ଭୋଗିବାକୁ କେହି ଚାହିଁବେନି । ବିଜେଡ଼ିର ଦୃଢ଼ ସଂଗଠନ ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏହାର ଏକମାତ୍ର କାରଣ ବୋଲି କୁହାଯାଉଛି ।
Spread the love