ଭୁବନେଶ୍ୱରରେ ଆଉ ଦୁଇ କରୋନା ପଜେଟିଭ

ରାଜ୍ୟରେ ଏବେ ଆଉ ଦୁଇ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନେ ଦୁଇ ଜଣ ଭୁବନେଶ୍ୱରର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଭୁବନେଶ୍ୱରର ଏହି ଦୁଇ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୭୦ ବର୍ଷୀୟ ବୃଦ୍ଧ କପିଲ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-୨ ଏବଂ ତାଙ୍କ ବୟସ ହେଉଛି ୭୦ ବର୍ଷ । ସେ ଗତମାସ ୨୨ ତାରିଖରେ ଅଷ୍ଟ୍ରେଲିଆରୁ ଫେରିଥିଲେ । ନିଜକୁ ହୋମ୍ କ୍ୱାରେଂଟିନରେ ରଖିଥିଲେ । ତାଙ୍କ ରକ୍ତ ନମୁନା ପରୀକ୍ଷା ପରେ ଏବେ ତାଙ୍କ ଦେହରେ କରୋନା ଭୂତାଣୁ ଥିବା ଚିହ୍ନଟ ହେଇଛି ।

ସେହିପରି ଅନ୍ୟଜଣେ ହେଉଛନ୍ତି ବମିଖାଲ୍ ଅଂଚଳର ଜଣେ ଯୁବକ । ତାଙ୍କ ବୟସ ହେଉଛି ୨୯ । ବମିଖାଲରେ ପୂର୍ବରୁ ୩ ଭାଇ କରୋନା ପଜେଟିଭ ଚିହ୍ନଟ ହେବା ପରେ ଉକ୍ତ ଅଂଚଳକୁ ସିଲ୍ କରାଯାଇଛି । ଏହି ସିଲ୍ ସମୟରେ ପ୍ରଶାସନର ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ଯାଂଚ କରିବା ସମୟରେ ଏହି ଯୁବକଙ୍କୁ ଠାବ କରାଯାଇଛି । ତାଙ୍କ ଲକ୍ଷଣ ଦେଖି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏବେ ତାହା ପଜେଟିଭ ଆସିଛି ।

ରାଜ୍ୟରେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଂଚିଛି । ଏଥିରୁ କେବଳ ଭୁବନେଶ୍ୱରରେ ୧୭ ଜଣ ରହିଛନ୍ତି । କିନ୍ତୁ ପ୍ରଥମ ଦୁଇ ରୋଗୀ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଏହାଛଡା ଭଦ୍ରକରେ ୨, ଯାଜପୁର, ପୁରୀ, କଟକ ଓ କଳାହାଣ୍ଡିରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।

Spread the love