ଜଳମଗ୍ନ ମାୟାନଗରୀ: କାନ୍ଥ ଭୁଶୁଡି ୨୩ ଜଣଙ୍କ ମୃତ୍ୟୁ

ମୁମ୍ବାଇ ୧୮/୦୭ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଜନଜୀବନ ବ୍ୟାହତ ହୋଇଛି। ଶନିବାର ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି ଓ ରବିବାର ସକାଳେ ମଧ୍ୟ ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। କାନ୍ଥ ଭୁଶୁଡ଼ିବା ସହିତ ଦୁଇଟି ଆଘାତଜନିତ ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁମ୍ବାଇର ଚେମ୍ବୁର ଏବଂ ଭିକ୍ରୋଲିରେ କାନ୍ଥ ଭୁଶୁଡ଼ିବା କାରଣରୁ ଲୋକଙ୍କ ମୃତ୍ୟୁରେ ସେ ଦୁଃଖିତ। ଶୋକରେ ଶୋକସନ୍ତପ୍ତ ପରିବାରକୁ ସହାନୁଭୂତି ଜଣାଇଛନ୍ତି।

ଏହାସହ ଆହତଙ୍କ ସୁସ୍ଥ କାମନା କରିଛନ୍ତି ମୋଦି। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ବର୍ତ୍ତମାନ ମୁମ୍ବାଇର ରାସ୍ତାରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ମାୟାନଗରୀର ଲାଇଫ୍ ଲାଇନ୍ କୁହାଯାଉଥିବା ସ୍ଥାନୀୟ ଟ୍ରେନ୍ ସେବା ଠପ ହୋଇଯାଇଛି। ପ୍ରବଳ ବର୍ଷା ହେତୁ ମୁମ୍ବାଇର ହନୁମାନ ନଗର ଠାରୁ କାନ୍ଦିଭାଲି ଅଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ଘରେ ପାଣି ପଶିଛି।

ମୁମ୍ବାଇବାସୀ ଜଳ ନିଷ୍କାସନ ହେତୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାନ୍ଧୀ ବଜାର ଅଞ୍ଚଳରେ ଭୟଙ୍କର ଜଳ ପ୍ରଭାବ ଦେଖିବାକୁ ମିଳିଛି। ପୁରା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଏଥି ସହିତ ମୁମ୍ବାଇର ସିଓନ୍ ରେଳ ଷ୍ଟେସନର ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡି ହୋଇଛି। ସିୟୋନ ଅଞ୍ଚଳର ମୁଖ୍ୟ ରାସ୍ତାରେ ଅଣ୍ଟାଏ ଯାଏଁ ପାଣି ଜମା ହୋଇରହିଛି। ଆଜି ମଧ୍ୟ ମୁମ୍ବାଇରେ ବର୍ଷା ଜାରି ରହିବ ବୋଲି କୁହାଯାଉଛି।

Spread the love