ବେଙ୍ଗାଲୁରୁରେ ୫ ଦିନରେ ୨୪୨ ପିଲା କୋଭିଡ଼ ପଜିଟିଭ୍‌

ନୂଆଦିଲ୍ଲୀ ୧୨।୦୮: ସତ ହେଉଛି ଆଶଙ୍କା । ଅଧିକ ସଂକ୍ରମିତ ହେଉଛନ୍ତି ଶିଶୁ ।  ତୃତୀୟ କରୋନା ଲହରରେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବା ନେଇ କରାଯାଉଥିବା ଆଶଙ୍କା ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବେଙ୍ଗାଲୁରୁରେ ୫ ଦିନରେ ୨୪୨ ପିଲା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 

କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୧,୩୩୮ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୩୧ ଜଣଙ୍କ ପ୍ରାଣହାନି ଘଟିଛି । ନୂଆ ରୋଗୀଙ୍କ ମଧ୍ୟରେ ପିଲା ସଂଖ୍ୟା ବଢ଼ୁଥିବା ଦୃଷ୍ଟିକୁ ଆସିଛି । ବେଙ୍ଗାଲୁରୁରେ ଗତ ୫ ଦିନ ମଧ୍ୟରେ ଅତିକମ୍‌ରେ ୨୪୨ ପିଲା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି । ତଥ୍ୟ ମୁତାବକ ୯ ବର୍ଷ ତଳକୁ ମୋଟ ୧୦୬ ପିଲା କରୋନା ଆକ୍ରାନ୍ତ ହୋଇଥିବା ବେଳେ ୯ ଓ ୧୯ ବର୍ଷ ବୟସ ମଧ୍ୟରେ ଆସୁଥିବା ୧୩୬ ପିଲା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଛି ।

ଅନ୍ୟପକ୍ଷରେ, ପଞ୍ଜାବରେ ଅଗଷ୍ଟ ଆରମ୍ଭରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ରାଜ୍ୟରେ ସ୍କୁଲ ଖୋଲାଯିବା ସହ ଛାତ୍ରଛାତ୍ରୀମାନେ ସଂକ୍ରମିତ ହେବାର ଧାରା ଆରମ୍ଭ ହୋଇଛି । ଲୁଧିଆନାର ୨ଟି ସରକାରୀ ସ୍କୁଲରେ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଛାତ୍ରଛାତ୍ରୀମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଯେଉଁ ସବୁ ସ୍କୁଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେସବୁକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ସ୍କୁଲରେ ସମସ୍ତ ପ୍ରକାର କରୋନା କଟକଣା ପାଳନ କରାଯିବା ପରେ ମଧ୍ୟ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି ।

Spread the love