ଚିକିତ୍ସା ବାହାନାରେ ରାଜଧାନୀରେ ଡାକ୍ତରଙ୍କୁ ଅପହରଣ କରି ମାଗିଥିଲେ ୨୫ ଲକ୍ଷ

ଭୁବନେଶ୍ୱର: ଦେହ ଖରାପ ଅଛି, ତୁରନ୍ତ ଘରକୁ ଆସନ୍ତୁ କହି ଜଣେ ଡାକ୍ତରଙ୍କୁ ଡକାଇଲେ | ଆଉ ତାଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିଲେ | ରାଜଧାନୀରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣର ପର୍ଦ୍ଦାଫାଶ ହୋଇଛି | ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ଦମ୍ପତିଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି | ଏହି ମାମଲାରେ ଲେଡି ଡ଼ନ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନଙ୍କୁ ଗିରଫ କରାଯାଇଛି | ମିଳିଥିବା ସୂଚନା ମୁତାବକ ଗତ ୮ ତାରିଖରେ ଏହି ୪ ଜଣ ଯୋଜନା କରି ଦେହ ଖରାପ ଥିବାର ବାହାନା କରି ଜଣେ ଡାକ୍ତରଙ୍କୁ ଘରକୁ ଡାକିଥିଲେ | ଇରାନୀ ନିଜର ଦେହ ଖରାପ ଥିବାର କହି ତମାଣ୍ଡୋର ସିଟି ହୋମସର ଡୁପ୍ଲେକ୍ସ ୬୧କୁ ଡ଼କାଇଥିଲେ |

ଡାକ୍ତର ଜଣକ ଆସିବା ପରେ ତାଙ୍କୁ ଏମାନେ ବନ୍ଧକ ରଖି ଛୁରୀ ଦେଖାଇ ୨୫ ଲକ୍ଷ ଟଙ୍କା ମାଗିଥିଲେ | ଡାକ୍ତରଙ୍କ କାର ଚାବି, ସୁନା ବ୍ରେସଲେଟ ଓ ମୋବାଇଲ ଫୋନ ନେଇଯିବା ସହ ଧମକ ଦେଇଥିଲେ ଯେ ଯଦି ୨୫ ଲକ୍ଷ ଟଙ୍କା ନ ଦେବେ ତେବେ ମିଛ ମାମଲାରେ ଫସାଇଦେବେ | ଏହାପରେ ଡାକ୍ତର ଜଣକ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ | ଏହି ଅପରାଧୀମାନେ ଡାକ୍ତରଙ୍କୁ ଧମକ ଦେଇ ଅନଲାଇନ ପେମେଂଟ ସିଷ୍ଟମର ପାସୱାର୍ଡ଼ ନେଇଥିଲେ | ତେବେ ଦିନକୁ ମାତ୍ର ୧ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବାବେଳେ ଇରାନୀ ଓ ନିଶିକାନ୍ତ ଡାକ୍ତରଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ ଓ ୯ ଲକ୍ଷ ଟଙ୍କାର ଚେକ ଦେବାକୁ କହିଥିଲେ | ଏବାବଦରେ କାହାକୁ କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ | ତେବେ ପୁଲିସ ତଦନ୍ତରୁ ଜଣାପଡିଛି ଯେ ଏହି ଦୁଇଜଣ ପୂର୍ବରୁ ଦୁଇଥର ଏଭଳି କାରନାମା କରିଥିଲେ | କିନ୍ତୁ ଏମାନଙ୍କ ଲୁଟର ଶିକାର ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିନଥିଲେ |

Spread the love