କନ୍ୟାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣା: ଆଉ ୨୫ ଛାତ୍ରୀ ଅସୁସ୍ଥ

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଶୁକ୍ରବାର ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ୨୫ ଜଣ ଅସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି କନ୍ୟାଶ୍ରମରେ ଶୁକ୍ରବାର ମଧ୍ୟାହ୍ନରେ ନୀଳଗିରି ଅଂଚଳର ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ସକାଳେ ଅନ୍ୟ ଦୁଇଜଣ ଅନ୍ତେବାସିନୀଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ଏହି ଘଟଣା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଏଡିଏମଓ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର, ଡିସିପିଓ ସ୍ଵାଗତିକା ଦାସକର, ସୋର ଡାକ୍ତରଖାନା ଅଧୀକ୍ଷକ ସତ୍ୟନାରାୟଣ ନାୟକ, ସୋର ବିଡ଼ିଓ କରୁଣାକର ଧିନ୍ଦା ଓ ବାଲେଶ୍ୱର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଏକ ଡାକ୍ତରୀ ଟିମ୍‌ କନ୍ୟାଶ୍ରମରେ ପହଞ୍ଚି ଅନ୍ତେବାସିନୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ୨୬ ଜଣ ଅନ୍ତେବାସିନୀଙ୍କର ଦେହ ଅସୁସ୍ଥ ଥିବାରୁ ସେମାନଙ୍କୁ ସୋର ଡ଼ାକ୍ତରଖାନାକୁ ଅଣାଯାଇ ଚିକିତ୍ସିତ କରାଯାଉଥିବା ବେଳେ ଜଣେ ଅନ୍ତେବାସିନୀଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଛାତ୍ରୀମାନଙ୍କ ଅସୁସ୍ଥତାର କାରଣ ଜଣାପଡିନାହିଁ। ଏନେଇ ସୋର ଡାକ୍ତରଖାନାର ଅଧୀକ୍ଷକ ଡ଼. ସତ୍ୟନାରାୟଣ ନାୟକ ଓ କନ୍ୟାଶ୍ରମର ମୁଖ୍ୟ ପରିଚାଳକ ସୁମତି ମହାନ୍ତିଙ୍କ ମତାମତ ନେବାରୁ ସେମାନେ କୌଣସି ପ୍ରତିକ୍ରିୟା ରଖିନଥିଲେ। ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଦୁଲାଳସେନ ଜଗଦ୍ଦେବଙ୍କ ସହ ଯୋଗାଯୋଗ କରିବାରୁ କେଉଁ ଭଳି ପରିସ୍ଥିତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଲା ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ। ବିଭିନ୍ନ ସମୟରେ ଉକ୍ତ କନ୍ୟାଶ୍ରମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏପରି ଏକ ଅଭାବନୀୟ ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

Spread the love