ଭୋପାଳରେ ବେଆଇନ ଭାବେ ଚାଲିଥିଲା ବାଳିକା ଆଶ୍ରୟ ଗୃହ, ୨୬ ନାବାଳିକା ନିଖୋଜ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ବାଳିକା ଆଶ୍ରୟ ଗୃହରୁ ୨୬ ଜଣ ବାଳିକା ନିଖୋଜ ହୋଇଯାଇଛନ୍ତି । ଏହି ବାଳିକାମାନେ ଗୁଜରାଟ, ଝାଡଖଣ୍ଡ, ରାଜସ୍ଥାନ ବ୍ୟତୀତ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ସେପଟେ ବିନା ଅନୁମତିରେ ବାଳିକା ଗୃହ ଚଳାଉଥିବା ନେଇ ପୋଲିସ ନିଜ ତରଫରୁ ମାମଲା ରୁଜୁ କରିଛି । ରାଷ୍ଟ୍ରୀୟ ଶିଶୁ ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ ଏହି ମାମଲାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟ ସଚିବ ବୀରା ରାଣାଙ୍କୁ ଚିଠି ଲେଖିଛନ୍ତି । ଭୋପାଳର ପରବଲିୟା ଅଞ୍ଚଳରେ ଏହି ବେଆଇନ ବାଳିକା ଗୃହ ଚାଲୁଥିଲା । ଭୋପାଳର ଏକ ଏନଜିଓ ହଷ୍ଟେଲରୁ ବାଳିକାମାନେ ନିଖୋଜ ହେବା ନେଇ ଏବେ ବିବାଦ ଦେଖାଦେଇଛି ।

ସୂଚନା ମୁତାବକ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ ଭୋପାଳ ବାହରୀ ଅଞ୍ଚଳରେ ଥିବା ଆଞ୍ଚଲ ବାଳିକା ଛାତ୍ରବାସ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେ ରେଜିଷ୍ଟର ଚେକ୍ କରିବା ବେଳେ ୬୮ ବାଳିକାଙ୍କର ନାମ ଥିଲା । ହେଲେ ବାସ୍ତବରେ ସେମାନଙ୍କ ମଧ୍ୟରୁ ୨୬ ବାଳିକା ଗାଏବ ଥିଲେ । ଏନେଇ ବାଳିକା ଗୃହର ସଂଚାଳକ ଅନିଲ ମେଥ୍ୟୁଙ୍କୁ ପଚରା ଉଚରା କରିବା ବେଳେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଏହାପରେ ପ୍ରୟାଙ୍କ ପୋଲିସକୁ ସୂଚନା ଦେଇଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ମାମଲାର ଗମ୍ଭୀରତା ଓ ସମ୍ବେଦନଶୀଳତାକୁ ନଜରରେ ରଖି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

Spread the love