G20 ଶିଖର ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲା ୨୮ ଫୁଟ୍‌ ଉଚ୍ଚର ବିଶାଳକାୟ ‘ନଟରାଜ ମୂର୍ତ୍ତି’, ଏଥିରେ ଲାଗିଛି ସୁନା ସମେତ ଅଷ୍ଟଧାତୁ

ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସ ୯ ଏବଂ ୧୦ ତାରିଖରେ ଆୟୋଜନ ହେବ ଜି-୨୦ ଶିଖର ସମ୍ମିଳନୀ। ଏହି ବୈଠକକୁ ଧ୍ୟାନରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହା ସହିତ ସମଗ୍ର ଦିଲ୍ଲୀକୁ ସଜାଯାଉଛି। ଜି-୨୦ ବୈଠକକୁ ଭବ୍ୟ କରିବା ପାଇଁ ସମସ୍ତ ପ୍ରକାରର କାମ ଆଗେଇ ଚାଲିଛି। ଏହାରି ଭିତରେ ଜି-୨୦ ସମ୍ମିଳନୀକୁ ନଜରରେ ରଖି ତାମିଲନାଡ଼ୁରୁ ୨୮ ଫୁଟ୍‌ ଉଚ୍ଚର ଏକ ବିଶାଳକାୟ ନାଟରାଜ ମୂର୍ତ୍ତି ଅଣାଯାଇଛି। ଏଥିପାଇଁ ରାସ୍ତାରେ ଗ୍ରୀନ୍‌ କରିଡର୍‌ କରାଯାଇଥିଲା। ରିପୋର୍ଟ ମୁତାବକ, ଏହି ମୂର୍ତ୍ତିକୁ ୨୫୦୦ କିଲୋମିଟର ଲମ୍ବା ଗ୍ରୀନ୍‌ କରିଡର କରି ଅଣାଯାଇଛି। ବର୍ତ୍ତମାନ ଏହାକୁ ଦିଲ୍ଲୀରେ ଭାରତ ମଣ୍ଡପମ୍‌ ବାହାରେ ସ୍ଥାପନ କରାଯିବ।

ମିଳିଥିବା ସୂଚନା ଅନୁସାରେ, ଏହି ବିଶାଳକାୟ ନଟରାଜ ମୂର୍ତ୍ତିର ଓଜନ ରହିଛି ୧୯ ଟନ୍‌। ଏହାର ପ୍ରକୃତ ଉଚ୍ଚତା ୨୨ ଫୁଟ୍‌ ହୋଇଥିବା ବେଳେ ଏହାକୁ ୬ ଫୁଟ୍‌ ଉଚ୍ଚ ଆସନ ଉପରେ ରଖାଯାଇ ଥିବାରୁ ମୋଟ ଉଚ୍ଚତା ରହିଛି ୨୮ ଫୁଟ୍‌। ଏହି କଳାକୃତିକୁ ତାମିଲନାଡ଼ୁର ସ୍ୱାମୀମଲାଇ ଜିଲ୍ଲାର ଖ୍ୟାତନାମା ମୂର୍ତ୍ତି କାରିଗର ଦେବସେନାପତି ସତପତିଙ୍କ ପୁଅମାନେ ତିଆରି କରିଛନ୍ତି। ମୂର୍ତ୍ତିକୁ ୮ଟି ଧାତୁରେ ନିର୍ମାଣ କରାଯାଇଛି। ଏଥିରେ ସୁନା, ଚାନ୍ଦି, ଶିଶା, କପର୍‌, ଟିଣ, ମର୍କ୍ୟୁରୀ, ଜିଙ୍କ୍‌ ଏବଂ ଲୁହା ବ୍ୟବହାର କରାଯାଇଛି। ସମସ୍ତ ଧାତୁକୁ ୧୦୦ ଡିଗ୍ରୀ ସିଲ୍‌ସିୟସ୍‌ ତାପମାତ୍ରାରେ ପ୍ରଥମେ ତରଳା ଯାଇଥିଲା ଏବଂ ପରେ ଏହାକୁ ଆକାର ଦିଆଯାଇଥିଲା। ତେବେ ରିପୋର୍ଟ ମୁତାବକ, ଏହି ନଟରାଜ ମୂର୍ତ୍ତିକୁ ବିନା ପଲିସ୍‌ରେ ତାମିଲନାଡ଼ୁରୁ ଦିଲ୍ଲୀ ଅଣାଯାଇଛି। ମୂର୍ତ୍ତିକୁ ଏହି ଠାରେ ହିଁ ଅନ୍ତିମ ରୂପ ଦିଆଯିବ। ଏହାକୁ ଆୟୋଜନ ସ୍ଥଳରେ ସ୍ଥାପନ କରାଯିବାର ସମୟ ସୀମା ସେପ୍ଟେମ୍ବର ୪ ଦିଆଯାଇଛି। ମୂର୍ତ୍ତି କାରିଗରଙ୍କ କହିବା ହେଲା, ସଂସ୍କୃତି ମନ୍ତ୍ରଣାଳୟ ଗତ ଫେବୃୟାରୀରେ ଏହି ମୂର୍ତ୍ତି ପାଇଁ ଅର୍ଡର ଦେଇଥିଲା। ମୂର୍ତ୍ତିକୁ ତିଆରି କରିବାରେ ମୋଟ ୬ ମାସର ସମୟ ଲାଗିଛି।

Spread the love