ଚାକିରି କରାଇଦେବା ଆଳରେ ଟଙ୍କା ହଡ଼ପ, ୨ ଗିରଫ

ଭଦ୍ରକ ୦୭।୧୧:  ଚେକ ବାଉନ୍ସରୁ ଫିଟିଲା ଗୁମର । ସିଆରପିଏଫରେ ଚାକିରି କରିଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଜିଲ୍ଲା ବନ୍ତ ପୁଲିସ ।

ଖବର ଅନୁଯାୟୀ,  ଭଦ୍ରକ ଗ୍ରାମଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମର କରୁଣାକର ରାଉତ ନାମକ ଜଣେ ବ୍ୟକ୍ତି ସିଆରପିଏଫ ରେ ଚାକିରି କରାଇ ଦେବାର ପ୍ରଲୋଭନ ବହୁ ବେକାର ଯୁବକଙ୍କୁ ଦେଇଥିଲେ । ଏନେଇ ଏକାଧିକ କିସ୍ତିରେ ଯୁବକଙ୍କ ଠାରୁ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଜଣାପଡିଛି । ତେବେ ସମୟ ଅତିକ୍ରାନ୍ତ ହେଉଥିଲେ ମଧ୍ୟ ପ୍ରତିଶୃତି ମୁତାବକ ଚାକିରି ନହେବା ଯୋଗୁଁ ସତ୍ୟପ୍ରକାଶ ନାମକ ଜଣେ ଯୁବକ କରୁଣାକରଙ୍କୁ ଦେଇଥିବା ଟଙ୍କା ମାଗିବାରୁ ସେ  ଏକ ଚେକ ଦେଇଥିଲେ ।

ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବାଉନ୍ସ ହୋଇଥିଲା । ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ଶେଷରେ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଏହି ଘଟଣାରେ କରୁଣାକର ରାଉତ ସହ ବନ୍ତ ଥାନା ନିଳୋକ ପଞ୍ଚାୟତ ଅନ୍ତର୍ଗତ ବୁଢ଼ଗଢିଆ ଗ୍ରାମର କିଷାନ ନାୟକ । ସିଆରପିଏଫରେ ଚାକିରି କରିଦେବା କହି ବହୁ ଯୁବକଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରୁ ଜାଣିବା ପରେ, ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Spread the love