ଆଜି ରଜ ସଂକ୍ରାନ୍ତି

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ । ଆଜି ରଜ ସଂକ୍ରାନ୍ତି। । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।
ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।
ଏଥିପାଇଁ ଆଜି ବି ଉତ୍ସବମୁଖର ଗାଁଠୁ ସହର । ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜେଇ ହୋଇ ଦୋଳି ଖେଳୁଛନ୍ତି ଝିଅ ବୋହୂ । ରଜ ସଜବାଜ ହୋଇ ନୂଆ ଡ୍ରେସ୍‌ ପିନ୍ଧି ଗାଁ ବୁଲୁଛନ୍ତି। ଘରେ ଘରେ ପିଠାପଣାର ମହକ । ପୋଡପିଠା, ଚକୁଳି, ଇଡଲି, ଛୁଞ୍ଚିପତ୍ର, ଆରାସିି, କାକରା ଭଳିକି ଭଳି ପିଠାପଣା ପ୍ରସ୍ତୁତ ହୋଇ ରହିଛି। ଜମିଛି ତାସ୍‌, ଲୁଡୁ ଏବଂ ଚେସ୍‌ ଖେଳର ଆସର। ପ୍ରସ୍ତୁତ ହୋଇ ରହିଛି ରଜ ପାନ। ଘରେ ଘରେ ଜମିଛି ବନ୍ଧୁବାନ୍ଧବଙ୍କ ଭିଡ଼ । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ ।

Spread the love