ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଦ୍ୱିତୀୟ ଦିନ ରେଡ୍‌

ମାଲକାନଗିରି, ୨୬/୦୩: ଯେତେ ଖୋଳିଲେ ସେତେ ବାହାରୁଛି । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶଙ୍କ ସମ୍ପତ୍ତି ତାଲିକା ଶେଷ ହେଉନାହିଁ । ଦ୍ବିତୀୟ ଦିନରେ ବି ସରୁନି ଭିଜିଲାନ୍ସ ବିଭାଗର ଖୋଳତାଡ଼ । ଠିକାଦାର ଓ କର୍ମଚାରୀଙ୍କ ଘରୁ ଜବତ ହେଉଛି ପୁଳା ପୁଳା ଟଙ୍କା ଓ ସୁନା ଗହଣା ।

ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶଙ୍କ ନିକଟରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ପଦଉନ୍ନତି ହୋଇଛି । ହେଲେ ମୋଟା ଅଙ୍କର ଅର୍ଥ ରୋଜଗାର କରିବା ନିଶାରେ ଆଶିଷ ଦାଶ ମାଲକାନଗିରି ଜିଲ୍ଲା ଛାଡିନଥିଲେ । ଠିକାଦାରମାନଙ୍କୁ ହାତ କରି ଯନ୍ତ୍ରୀ ମହାଶୟ ମାଲକାନଗିରି ଜିଲ୍ଲାରେ ଅନେକ ଦୁର୍ନୀତି କରିଥିବା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା । ଗତକାଲି ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅସ୍ଥାବର ସମ୍ପତି ଠାବ କରିଛି ଭିଜିଲାନ୍ସ ବିଭାଗ ।

ବିଭିନ୍ନ ବ୍ୟାଙ୍କ ଆକାଉନ୍ଟରେ ଅଢେଇ କୋଟି ଟଙ୍କା ରହିଛି । ଆଶିଷ ଦାଶଙ୍କ ଘରୁ ୨୧ ଲଷ ୭୫ ହଜାର ଜବତ ହୋଇଛି । ଠିକାଦର ଓ ନିଜ ଘରୁ ୬୦୦ ଗ୍ରାମ ସୁନା ଜବତ ହୋଇଛି । ୫୦ ଲକ୍ଷ ଟଙ୍କାର ବୀମା ଓ ୪୦  ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ । ୫୦ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର, ଏନଏସସି ଓ ପୋଷ୍ଟାଲ ଡିପୋଜିଟ । ମାଲକାନଗିରି ଓ କେଉଁଝର ୩ କୋଟି ଟଙ୍କାର ବ୍ୟାଙ୍କ ଲକର । କଟକରେ ଗୋଟିଏ ଫ୍ଲାଟ ଥିବା ଜଣାପଡ଼ିଛି । ଆଶିଷ ଦାଶଙ୍କ ସଂପତ୍ତି ତାଲିକା ଆହୁରି ମଧ୍ୟ ଲମ୍ବା ହୋଇପାରେ । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଜାରି ରହିଛି ।

Spread the love