୩ ଦିନ, ୧୨ ଘଣ୍ଟା, ୧୦୦ରୁ ଅଧିକ ପ୍ରଶ୍ନ; ସୋନିଆଙ୍କୁ ଇଡିର ପଚରା ଉଚୁରା ଶେଷ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚୁରା ସରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନରେ କଂଗ୍ରେସର ମୁଖ୍ୟଙ୍କୁ ପ୍ରାୟ ତିନି ଘଣ୍ଟା ପଚରା ଉଚୁରା କରିଛନ୍ତି କେନ୍ଦ୍ରୀୟ ଏଜେନ୍ସି। ପରବର୍ତ୍ତୀ ସମନ ଜାରି ନହେବା ପର୍ଯ୍ୟନ୍ତ ତାଙ୍କୁ ଆଉ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ ନାହିଁ। ସୂଚନା ଅନୁଯାୟୀ, ଏଜେନ୍ସି ଏହି ତିନି ଦିନରେ ପ୍ରାୟ ୧୨ ଘଣ୍ଟାରେ ସୋନିଆଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ କରିଛି।

ସୋନିଆ ଗାନ୍ଧୀ ବୁଧବାର ପ୍ରାୟ  ୩ ଘଣ୍ଟା ପଚରାଉଚୁରା ପରେ ଇଡି କାର୍ଯ୍ୟାଳୟରୁ ବାହାରି ସାରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋନିଆଙ୍କୁ ଆଗକୁ ଆଉ ହାଜର ହେବାକୁ ପଡିବ ନାହିଁ। କିନ୍ତୁ ଏହା ମଧ୍ୟ କୁହାଯାଉଛି ଆବଶ୍ୟକ ପଡିଲେ ଏଜେନ୍ସି ତାଙ୍କୁ ଡକାଇପାରେ। ପଚରା ଉଚୁରା ସମୟରେ ସୋନିଆ ତୁରନ୍ତ ଉତ୍ତର ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। ସୋନିଆଙ୍କୁ ଇଡିର ପଚରା ଉଚୁରା ପ୍ରତିବାଦରେ କଂଗ୍ରେସ ନେତା ଏବଂ କର୍ମୀ ସଡକକୁ ଓହ୍ଲାଇ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ମନୀଷ ତିଓ୍ଵାରୀଙ୍କ ସମେତ ଅନେକ ନେତାଙ୍କୁ ପୋଲିସ ହେପାଜତରେ ନେଇଥିଲା। ସାମ୍ବାଦିକ ସମ୍ମିଳନୀର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଥିଲେ, ଇଡି ରାହୁଲ ଗାନ୍ଧୀଙ୍କୁ ୫ ଦିନ ଡକାଇଥିଲା। ଆଉ ଏବେ ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ଡକାଇଛନ୍ତି। ଇଡି ଦେଶରେ ଆତଙ୍କରାଜ ଚଳାଇଛି।

ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ଆଇନଠୁ ଉର୍ଦ୍ଧ୍ଵରେ ଭାବୁଛନ୍ତି। ଆଇନର ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ। ଏଥିସହ କଂଗ୍ରେସ କରୁଥିବା ବିରୋଧ ପ୍ରଦର୍ଶନକୁ ସତ୍ୟାଗ୍ରହ କୁହାଯାଇ ପାରିବ ନାହିଁ ଜେପି ନଡ୍ଡା କହିଛନ୍ତି।

Spread the love