ଗର୍ଭବତୀଙ୍କ ପାଇଁ ୩ ଥର ମାଗଣା ଅଲ୍‌ଟ୍ରାସାଉଣ୍ଡ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ମାତୃ ମୃତ୍ୟୁ ରୋକିବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ମେଡିକାଲରୁ ରେଫର ହୋଇଥିବା ଗର୍ଭବତୀମାନଙ୍କୁ ଘରୋଇ କ୍ଲିନିକରେ ମାଗଣାରେ ଅଲଟ୍ରାସାଉଣ୍ଡ କରିବାକୁ ସୁବିଧା ମିଳିବ। ଏହାକୁ ‘ସୁରକ୍ଷିତ ଜନନୀ ସହାୟତା’ ନାମରେ ନାମିତ କରାଯାଇଛି। ଜଣେ ଗର୍ଭବତୀଙ୍କୁ ମାଗଣାରେ ୩ ଥର ଅଲଟ୍ରାସାଉଣ୍ଡ କରିବାକୁ ସୁବିଧା ଦିଆଯିବ। ଫଳରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଜାଣିହେବ ଏବଂ ରିପୋର୍ଟକୁ ଆଧାର କରି ଡାକ୍ତର ତାଙ୍କର ଚିକିତ୍ସା କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯିବ। ଏନେଇ ଜିଲ୍ଲାପାଳ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି  ।  ୧୮ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ସହ ଏମଓୟୁ ସ୍ବାକ୍ଷର ହୋଇଛି। ଏଥିସହ ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲ ଓ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ମାଗଣାରେ ଗର୍ଭବତୀମାନେ ୩ଥର ଅଲଟ୍ରାସାଉଣ୍ଡ କରିପାରିବେ ବୋଲି ସୂଚନା ଦିଆଯାଇଛି। ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ସହ ନିକଟରେ ଥିବା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ମେଡିକାଲ ଓ ହସ୍ପିଟାଲକୁ ଟ୍ୟାଗ୍‌ କରାଯାଇଛି। ଫଳରେ ଗର୍ଭବତୀମାନେ ମେଡିକାଲରେ ଚିକିତ୍ସିିିତ ହୋଇ ନିକଟରେ ଥିବା ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ଯାଇ ତାଙ୍କର ଅଲଟ୍ରାସାଉଣ୍ଡ କରିପାରିବେ।

Spread the love