ବାଇକ୍‌କୁ ପିଟିଲା କାର୍‌, ୩ ଯୁବକଙ୍କ ମୃତ୍ୟୁ

ଦଶପଲ୍ଲା : ନୟାଗଡ ଦଶପଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ଦଶପଲ୍ଲା ଅଞ୍ଚଳର ସିତୁ ଖାଁ, ଦୀପକ ମେଦିନିରା ଏବଂ ଗୋକୁଳ ନାୟକ ବୋଲି ଜଣା ପଡ଼ିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦଶପଲ୍ଲା ଥାନା ସୁବଳୟା ଛକରେ ଘଟିଛି। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ସୁବଳୟା ଛକ ନିକଟରେ ଛତିଶଗଡ଼ ନମ୍ବର (CG 07 BP 2971) ଥିବା ଏକ କାର ଦଶପଲ୍ଲା ପାର୍ଶ୍ବରୁ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇଥିଲା। ଏହି କାର୍‌ଟି ବିପରୀତ ଦିଗରୁ ଆସୁଥିବା ୩ ଜଣ ବାଇକ୍‌ ଆରୋହୀ ଯୁବକଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ଥିବା ଦଶପଲ୍ଲା ଏନ୍‌ଏସି ଅଧୀନସ୍ଥ ଖଣ୍ଡପଡ଼ା ୩ ଜଣ ଯୁବକଙ୍କଘଟଣାସ୍ଥଳରେ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତର ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଦଶହପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।ତେବେ ଏହି ଦୁର୍ଘଟଣାକୁ ନେଇ ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଯିବା ଆସିବା ଠପ୍‌ ହୋଇଯାଇଥିଲା। ଦୁର୍ଘଟଣାର ଖବର ପାଇ ଦୁର୍ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ସହ ଉତ୍ତ୍ୟକ୍ତ ଲୋକଙ୍କଠାରୁ କାର୍‌ ଡ୍ରାଇଭରକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ପରିବେଶ ଶାନ୍ତ ପଡ଼ିଛି। ବର୍ତ୍ତମାନ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି। ପୁଲିସ୍‌ କାର୍‌ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Spread the love