ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଲେ ୩ ଓମାଇକ୍ରନ ସଂକ୍ରମିତ

ଭୁବନେଶ୍ୱର, ୦୫/୦୧ : କୋଭିଡ ୧୯ର ନୂଅ ଭ୍ୟାରିଏଂଟ ଓମାଇକ୍ରନ ଏବଂ ତୃତୀୟ ଲହରର ଭୟ ସାରା ବିଶ୍ୱକୁ ଆଚ୍ଛାଦିତ କରି ରଖିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲରୁ ଆସିଛି ଭଲ ଖବର । ଓମାଇକ୍ରନରେ ଆକ୍ରାନ୍ତ ତିନି ଜଣ ସଂକ୍ରମିତ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି । ନାଇଜେରିଆରୁ ଫେରିଥିବା ଜଣେ ମହିଳା ଏବଂ
ତାଙ୍କର ଦୁଇ ନାବାଳିକା ଓମାଇକ୍ରନରେ ସଂକ୍ରମିତ ହୋଇଥିବା ବେଳେ ହସ୍ପିଟାଲ୍‌ରେ ଉତମ ଚିକିତ୍ସା ସେବା ଓ ଯତ୍ନ ପାଇ ସୁସ୍ଥ ହୋଇପାରିଛନ୍ତି । ନାଇଜେରିଆରୁ ଫେରିବା ପରେ କୋଭିଡ୍ ପରୀକ୍ଷାରେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ଗତ ଡ଼ିସେମ୍ବର ୨୧ ତାରିଖ ଦିନ ମା ଏବଂ ଦୁଇ ଝିଅଙ୍କୁ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରବର୍ତୀସମୟରେ ଓମାଇକ୍ରନ ଚିହ୍ନଟ ନିମନ୍ତେ ତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସ୍ୱାବକୁ ଜେନମ୍ ସିକୁଏନ୍ସିଂ ପାଇଁ ପଠାଯାଇଥିଲା । ସେମାନଙ୍କର ଓମାଇକ୍ରନ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା ।
ତେବେ ଏହି ତିନି ଜଣଙ୍କ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଦୀର୍ଘ ୧୪ ଦିନ ସମ୍ କୋଭିଡ୍
ହସ୍ପିଟାଲର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କର ଚେଷ୍ଟା ଓ ଉଦ୍ୟମ ଫଳରେ ମଙ୍ଗଳବାର ରାତିରେ ସେମାନେ ଡ଼ିସଚାର୍ଜ ହୋଇଛନ୍ତି ।
ସାରା ଭାରତରେ ଏବେ ଓମାଇକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫ ହୋଇଥିବା ବେଳେ ଓଡ଼ିଶାରେ ବର୍ତମାନ
ସୁଦ୍ଧା ୬୧ ଜଣ ଓମାଇକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପୂର୍ବରୁ ଜଣେ ଓମାଇକ୍ରନ ସଂକ୍ରମିତ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ମଙ୍ଗଳବାର ରାତିରେ ତିନି ଜଣ ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇଛନ୍ତି ।

Spread the love