ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ, ୪ ଗୁରୁତର

ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତ ନେଲା ୩ ଜୀବନ । ଶବଦାହ କରିବାକୁ ଯାଇଥିଲେ ଶବ ହୋଇ ଫେରିଲେ । ମୟୁରଭଞ୍ଜ କରଞ୍ଜିଆ ଅଂଚଳରେ ଘଟିଛି ଏଭଳି ଅଘଟଣ । ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । କରଞ୍ଜିଆ ଏନଏସିର ୧୪ ନମ୍ବର ୱାର୍ଡରେ ଏଭଳି ବଜ୍ରପାତ ହୋଇଛି । ସୂଚନା ମୁତାବକ ଲୋକମାନେ ଏକ ଶବ ଦାହ କରିବାକୁ ମଶାଣୀ ଯାଉଥିଲେ ।

ଏହି ସମୟରେ ବର୍ଷା ହେବାରୁ ସେମାନେ ଏକ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ଆମ୍ବ ଗଛ ଉପରେ ବଜ୍ରପାତ ହୋଇଥିଲା । ସେଠାରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ଦୁଇ ଜଣଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତୁୃ୍ୟ ହୋଇଥିଲା । ଆମ୍ବ ଗଛ ଉପରେ ଥିବା କୁଟାଭାଡି ସମ୍ପୁର୍ଣ୍ଣ ଜଳିଯାଇଛି । ଆଜି ମୟୁରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଥିଲା । ବର୍ଷା ସହ ବିଜୁଳି, ଘଡଘଡି ମାରିଥିଲେ । ସେହି ସମୟରେ ବଜ୍ରାଘାତ ହୋଇ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Spread the love