ମୃଦୁ ପାନୀୟରେ ନିଶା ଦେଇ ଲୁଟ, ଅଚେତ ଅବସ୍ଥାରେ ଷ୍ଟେସନରୁ ୩ ଛାତ୍ର ଉଦ୍ଧାର

ଥଣ୍ଡା ପାନୀୟରେ ନିଶା ଦେଇ ଲୁଟ୍ । ଷ୍ଟେସନରୁ ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର । ଜଣେ ଛାତ୍ର ନିଖୋଜ । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ। ଛାତ୍ରମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ SSC ପରୀକ୍ଷା ଥିଲା। ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଛାତ୍ରମାନେ ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ। ୫ ଜଣ ଛାତ୍ର କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ୱେଟିଙ୍ଗ ହଲରେ ବସିଥିଲେ । ସେହି ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ସେମାନଙ୍କୁ ପିଇବାକୁ ଦେଇଥିଲା । ସେମାନଙ୍କୁ ମଧ୍ୟରୁ ୪ଜଣ ଥଣ୍ଡା ପିଇଥିବା ବେଳେ ଜଣେ ଛାତ୍ର ପିଇ ନଥିଲେ। ପରେ ସମସ୍ତ ଛାତ୍ର ଶୋଇପଡ଼ିଥିଲେ।

ସକାଳୁ ୩ଜଣ ଛାତ୍ର ଅଚେତ ଅବସ୍ଥାରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କର କୌଣସି ପତ୍ତା ମିଳିନଥିଲା। ଅନ୍ୟ ଜଣେ ଛାତ୍ର ଏନେଇ ଜିଆରପି ପୋଲିସକୁ ଜଣାଇଥିଲେ। ଜିଆରପି ୩ ଛାତ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଏହି ଛାତ୍ରଙ୍କ ପାଖରେ ଥିବା ଟଙ୍କା ଓ ମୋବାଇଲକୁ କେହି ଦୁର୍ବୃତ୍ତ ନେଇ ଯାଇଥିବା ଜଣାପଡ଼ିଥିଲା। ଜିଆରପି ପୁଲିସ ନିଖୋଜ ଛାତ୍ରଙ୍କ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି।

Spread the love