ସର୍ଗିତଳିଆରେ ୩୦ ଶିଶୁ ଅପପୁଷ୍ଟିର ଶିକାର!

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବଳଦା ପଞ୍ଚାୟତ ଗୁଡ଼ାସାହିରେ ଦୁଇଦିନ ମଧ୍ୟରେ ଦୁଇଦୁଇଟି ଶିଶୁଙ୍କୁ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଅପପୁଷ୍ଟିର ଶିକାର ହୋଇଥିବା ଦୁଇ ଶିଶୁଙ୍କୁ ଚିହ୍ନଟ କରାଯାଇ ପୁଷ୍ଟିସାଧନ କେନ୍ଦ୍ରକୁ ପଠାଯାଇଛି। ଅନ୍ୟପକ୍ଷରେ ଯୋଡ଼ା ପୌରପାଳିକାର ୧୩ ନମ୍ବର ୱାର୍ଡ ସର୍ଗିତଳିଆରେ ମଧ୍ୟ ମାଳମାଳ ପୁଷ୍ଟିହୀନ ଶିଶୁ ଥିବା ଦେଖିବାକୁ ମିଳିଛି। ଅପପୁଷ୍ଟିର ଶିକାର ହୋଇ ଏଠାରେ ଏକ ଶିଶୁକନ୍ୟା ପ୍ରାଣ ହରାଇଥିବା ବେଳେ ଆହୁରି ୩୦ଜଣ ଶିଶୁ ଅତ୍ୟନ୍ତ ଦୁର୍ବଳ ଏବଂ ସେମାନଙ୍କ ଓଜନ କମ ଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ,‌ ଗୋଡ଼ାସାହିର ମୋଚିଆ ହେମ୍ବ୍ରମଙ୍କ ୪୦ ଦିନର ଶିଶୁକନ୍ୟା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କମାରଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଶିଶୁଟି ନିମୋନିଆରେ ଆକ୍ରାନ୍ତ ହୋଇଥିବାରୁ କଟକ ବଡ଼ଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପରିବାର ଲୋକେ ଶିଶୁଟିକୁ କଟକ ନେବା ପରିବର୍ତ୍ତେ ଘରକୁ ଫେରାଇ ଆଣିଥିଲେ। ଗତ ୫ ତାରିଖରେ ତାର ମୃତ୍ୟୁ ଘଟିଥିଲା। ସେହିପରି ସାହିର ଗୁଣ ମୁଣ୍ଡାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ କଟକ ନେବାକୁ ପରାମର୍ଶ ଦେଇଥିଲେ। ଅର୍ଥାଭାବରୁ ଗୁଣ ଝିଅକୁ କଟକ ନ ନେଇ ଘରକୁ ଫେରାଇ ଆଣିଥିଲେ। ୭ ତାରିଖରେ ଗୋଲାପର ମୃତ୍ୟୁ ଘଟିଥିଲା। ଦୁଇ ଶିଶୁଙ୍କ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଆଜି ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କ ସହ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବଡ଼କାଳିମାଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ସାହିରେ ପହଞ୍ଚି ୨୮ଜଣ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଦୁଇଟି ଶିଶୁ ଅପପୁଷ୍ଟିର ଶିକାର ହୋଇଥିବାରୁ ଉଭୟଙ୍କୁ ବଡ଼ବିଲ ପୁଷ୍ଟିସାଧନ କେନ୍ଦ୍ରକୁ ପଠା ଯାଇଥିବା ବଡ଼କାଳିମାଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ରମଣିରଞ୍ଜନ ପାତ୍ର ପ୍ରକାଶ କରିଛନ୍ତି।

ସେହିପରି ଯୋଡ଼ା ସହରଠାରୁ ୪ କିମି ଦୂରରେ ଥିବା ସର୍ଗିତଳିଆ ବସ୍ତିରେ ଆଦିବାସୀ ସମ୍ପ୍ରଦାୟର ତିନିଶହ ଲୋକ ବାସ କରୁଛନ୍ତି। ପୁଷ୍ଟିକର ଖାଦ୍ୟାଭାବରୁ ଏଠାରେ ମାଳମାଳ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡ଼ିଛି। ଗ୍ରାମର କୈଳାସ ମୁଣ୍ତାଙ୍କ କହିବା ଅନୁଯାୟୀ, ତାଙ୍କର ତିନିବର୍ଷର ଝିଅ ଶାଳିନୀ ଖାଦ୍ୟାଭାବରୁ ଦୁର୍ବଳ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କିଛିଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗ୍ରାମର ଜୁଲୁ ମୁଣ୍ତା, ସୁଦନ ମୁଣ୍ତା, ସୋନୁ ମୁଣ୍ତା କହିଛନ୍ତି, ଗାଁଠାରୁ ୩ କିମି ଦୂର ଖୁଣ୍ଟପାଣରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଧିକ ଦୂର ହେଉଥିବାରୁ ଗାଁ ପିଲାମାନେ ସେଠାରୁ ଯାଉନାହାନ୍ତି। ତେଣୁ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।

ଗୋଡ଼ାସାହି ହେଉ କି ସର୍ଗିତଳିଆ ସବୁଠି ଖାଦ୍ୟାଭାବର ମୁଖ୍ୟ କାରଣ ପାଲଟିଛି ଖଣିଖାଦାନ ବନ୍ଦ। ପୂର୍ବରୁ ଉଭୟ ଗ୍ରାମର ଲୋକେ ନିକଟସ୍ଥ ଖଣିରେ ଶ୍ରମିକ ଭାବେ କାମ କରି ଭଲ ରୋଜଗାର କରୁଥିଲେ। ଏବେ ଖଣିଖାଦାନ ବନ୍ଦ ଥିବାରୁ ସେମାନେ କାମ ପାଉନାହାନ୍ତି। ଗୋଡ଼ାସାହି ବାସିନ୍ଦା ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ସର୍ଗିତଳିଆ ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରୁ ମହୁଲ, ତେନ୍ତୁଳି, ଜାଳେଣି କାଠ, ଦାନ୍ତକାଠି ଓ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକି ପରିବାର ପ୍ରତିପୋଷଣ କରୁଛନ୍ତି। ସରକାରଙ୍କ ପକ୍ଷରୁ ଏମାନଙ୍କୁ ରାସନ କାର୍ଡରେ ଚାଉଳ ମିଳୁଥିଲେ ମଧ୍ୟ ବଡ଼ ପରିବାର ହୋଇଥିବାରୁ ମାସ ପୂରିବା ଆଗରୁ ଚାଉଳ ସରିଯାଉଛି। ତେଣୁ ଆଦିବାସୀ ଲୋକେ ମହୁଲ ସିଝା, ସିଆଳିମଞ୍ଜି, ପିତାଳୁ ଓ କାଈକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି। ଯେଉଁଥି ପାଇଁ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଥିବା କୁହାଯାଉଛି।

Spread the love