୩୨ ଦିନରେ ଅଙ୍ଗନବାଡି କର୍ମୀଙ୍କ ଧାରଣା, ୩୪୨୫ ଶିଶୁ ରନ୍ଧା ଖାଦ୍ୟରୁ ବଞ୍ଚିତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଶିଶୁ ସମନ୍ୱୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସର୍ବ ଓଡ଼ିଶା ମହିଳା ଅଙ୍ଗନବାଡି କର୍ମଚାରୀ ସଂଘ ତରଫରୁ ମଞ୍ଜୁ ରଣାଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ 32 ଦିନ ହେଲା ଧାରଣା ଦେଇଛନ୍ତି । ଗତ ୨୧ ତାରିଖରେ ଶତାଧିକ ଅଙ୍ଗନବାଡି କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସଂଘର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ କିଛି ଦିନ ହେବ ସବୁ ବ୍ଲକରେ ଅଙ୍ଗନବାଡି କର୍ମୀ ଧାରଣା ଦେଇଥିବାବେଳେ ସଇଁନ୍ତଲା ଶିଶୁ ସମନ୍ୱୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ୨୦୧୮ ମସିହାରେ ବହିଷ୍କୃତ ହୋଇଥିବା ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଅଙ୍ଗନବାଡ଼ି କର୍ମୀଙ୍କୁ ୧୮ହଜାର ଟଙ୍କା ଦରମା ସହ ସହାୟୀକାଙ୍କୁ ୯ ହଜାର ଟଙ୍କା ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟତ୍ରୀ ମାନ୍ୟତା ଓ ଯୋଗ୍ୟତା ଆଧାରରେ ପଦୋନ୍ନତି କରାଯାଉ ବୋଲି ଦାବି କରିଥିଲେ । ଅଙ୍ଗନବାଡି କର୍ମୀମାନେ ଦୀର୍ଘ ୩୨ ଦିନ ହେବ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବାବେଳେ ୧୭୯ ସେଣ୍ଟର ବନ୍ଦ ରହିଛି । ଫଳରେ ୩୪୨୫ ଶିଶୁ ରନ୍ଧା ଖାଦ୍ୟରୁ ବଞ୍ଚିତ ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସତ୍ୟବତୀ ବେଚ ଓ ଦୀପାଞ୍ଜଳି ଛତ୍ରିଆ ଙ୍କ ନେତୃତ୍ୱରେ ରାଜ କୁମାରୀ ରଣା, ବନ୍ଦିତା ମଲ୍ଲିକ, ଚାମ୍ପେଶ୍ୱରୀ ପଟେଲ, ଅହଲ୍ୟା ବେହେରା, ବିସାଖା ମହାନନ୍ଦ,ଅହଲ୍ୟା ବାଗ, ସ୍ୱରସ୍ୱତୀ ବାରିକ, ପ୍ରତିମା ସାହୁ, ପ୍ରିୟଙ୍କା ସାହୁ, ଲାବନ୍ୟ କୁମ୍ଭାର
ପ୍ରମୁଖ ସାମିଲ ହୋଇଥିଲେ l

Spread the love