କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ରେକର୍ଡ, ସିବିଏସ୍‌ଇ ରେଜଲ୍ଟରେ ୩୫ ପ୍ରତିଶତ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଦ୍ୱାଦଶ ଶ୍ରେଣୀ ସ୍କୁଲ୍‌ର ଛାତ୍ରୀ ସ୍ନେହା ନାୟକ କଳାରେ ଓଡ଼ିଶା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। କଳା, ବାଣିଜ୍ୟ ଓ ବିଜ୍ଞାନରେ କିଟ୍‌ ଇଣ୍ଟରନ୍ୟାସ୍‌ନାଲ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ପାସ୍‌ କରିବା ସହ ଶତ ପ୍ରତିଶତ ସଫଳତା ଲାଭ କରିଛନ୍ତି।

ସ୍କୁଲ୍‌ର ୩୫ ପ୍ରତିଶତ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍‌ର ଛାତ୍ର ଶୁଭମ୍‌ ସୋହନ ବିଜ୍ଞାନରେ ଓ ପ୍ରାଚୁର୍ଯ୍ୟ ମହାନ୍ତି ବାଣିଜ୍ୟରେ ସର୍ବାଧିକ ୯୮ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୬୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍‌ର ସୁଶ୍ରୀ ମନିଷା ମଲ୍ଲିକ, ଅସ୍ତୁ ନାୟକ ଓ ଅଦିତି ନାୟକ ସର୍ବାଧିକ ୯୭ ପ୍ରତିଶତ ନମ୍ବର ରଖିଛନ୍ତି।।

କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ବ୍ୟତୀତ କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲ୍‌ ଓ ଦିଲ୍ଲୀରେ ପ୍ରତିଷ୍ଠିତ କିସ୍‌ର ଶାଖା କିସ୍‌-ଦିଲ୍ଲୀର ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଧ୍ୟ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଏହି ସଫଳତାରେ ଆନନ୍ଦ ପ୍ରକାଶ କରି ଉକ୍ତ ତିନିଟି ସ୍କୁଲ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ବାସ୍ତବ ଅର୍ଥରେ ଏକ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଏବଂ ଏହା ସମଗ୍ର ଭାରତରେ ସର୍ବୋତ୍କଷ୍ଟ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ମଧ୍ୟରେ ଅନ୍ୟତମ। ଏହି ସ୍କୁଲ୍‌ ପ୍ରତିଷ୍ଠା ହେବା ଦିନଠାରୁ ଏହାର ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି।

ସେହିପରି କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲ୍‌ ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଏହା କୌଣସି ଗୁଣରେ କମ ନୁହେଁ। ଏହାର ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ପରୀକ୍ଷାରେ ସଫଳତା ହାସଲ କରିବା ଗୌରବର ବିଷୟ। ସହରାଞ୍ଚଳ ଗରିବ ପିଲାଙ୍କ ଦିଲ୍ଲୀରେ ପ୍ରତିଷ୍ଠିତ କିସ୍‌-ଦିଲ୍ଲୀ ଚଳିତବର୍ଷ ତୃତୀୟ ବ୍ୟାଚ୍‌ ପରୀକ୍ଷା ଦେଇ ଶତ ପ୍ରତିଶତ ସଫଳତା ହାସଲ କରିବା ଆନନ୍ଦର ବିଷୟ। ଏହି ଅବସରରେ ଡ. ସାମନ୍ତ ଏହି ତିନିଟି ସ୍କୁଲ୍‌ର ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଅଧ୍ୟକ୍ଷ ତଥା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love