୩୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାଉରକେଲା: ଏବେ ଗଞ୍ଜେଇ ଚୋରାଚାଲାଣର ପ୍ରମୁଖ ମାଧ୍ୟମ ପାଲଟିଛି ଟ୍ରେନ୍‌। ଟ୍ରେନ୍‌ରେ ବେଧଡକ ଗଞ୍ଜେଇ ଆଣି ରାଉରକେଲାରେ ବିକ୍ରି କରିବା ନିତିଦିନିଆ ହେଲାଣି। ସପ୍ତାହେ ପୂର୍ବେ ସମାନ ଢ଼ଙ୍ଗରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ କୁଖ୍ୟାତ ବେପାରିଙ୍କୁ ଅବକାରି ପୁଲିସ ଗିରଫ କରିଥିବାବେଳେ ବୁଧବାର ପୁଣି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ସଚିନ ବିନ୍‌(୨୩)। ଅଭିଯୁକ୍ତ ରାଉରକେଲାକୁ ଗଞ୍ଜେଇ ଚାଲାଣ ପାଇଁ ଆଣିଥିଲା। ଗତକାଲି ସନ୍ଧ୍ୟାରେ ରାଉରକେଲା ରେଳ ଷ୍ଟେସନରେ ଅଭିଯୁକ୍ତ ଛିଡ଼ା ହୋଇଥିବାବେଳେ ଆର୍‌ପିଏଫ୍‌-ଅବକାରୀ ପୁଲିସ ତାକୁ ଘଟଣାସ୍ଥଳରେ ହିଁ କାବୁ କରିନେଇଥିଲେ। ଅଭିଯୁକ୍ତ ପାଖରୁ ୩୬ କେଜି ୩୬୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା।ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଦୁଇ ବେପାରୀ ଉତ୍ତରପ୍ରଦେଶ ମୋହନନଗର ବାସିନ୍ଦା ସୁଶୀଳ ଠାକୁର ଓ କାଦିପୁରର ଅନୀଲ ସିଂହଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୯ କେଜି ୮୯୫ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଅଭିଯୁକ୍ତ ଦ୍ବୟ ପୂର୍ବରୁ ରାଉରକେଲାରେ ରହି ବୁଲି ବୁଲି ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିଲେ। ଏଣୁ ସହରର ପ୍ରତ୍ୟେକ ଗଳିକନ୍ଦି, ଅନୈତିକ ବେପାର ବିଷୟରେ ଅବଗତ ଥିଲେ। ଏବେ ସେମାନେ ଗଞ୍ଜେଇ ବେପାରରେ ପସିବାପରେ କଳାହାଣ୍ଡି, କୋରାପୁଟ ଆଦି ଅଞ୍ଚଳରୁ ଗଞ୍ଜେଇ ଆଣି ରାଜଗାଙ୍ଗପୁର, ରାଉରକେଲାର ବେପାରିଙ୍କୁ ବିକ୍ରି କରୁଥିଲେ।

Spread the love