ବିଜେପି ସଂପର୍କରେ ଟିଏମସିର ୩୮ ବିଧାୟକ, ମୋ ଯୋଗାଯୋଗରେ ୨୧ ଜଣ- ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି

କୋଲକାତା: ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି। ବିଜେପି ସଂପର୍କରେ ଅଛନ୍ତି ଟିଏମସିର ଅନେକ ବିଧାୟକ। ତାଙ୍କର ଏହି ତାଜା ବୟାନ ପଶ୍ଚିମବଙ୍ଗ ରାଜନୀତିରେ ଝଡ ସୃଷ୍ଟି କରିଛି। ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସର ୩୮ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି(ବିଜେପି)ର ଯୋଗାଯୋଗରେ ଅଛନ୍ତି। ଏଥିରୁ ୨୧ ବିଧାୟକ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିବା ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି।

ବଲିଉଡ ଅଭିନେତା ଗତ ବର୍ଷ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବିଜେପି କଣ ମୁସଲିମ ବିରୋଧୀ ପ୍ରଶ୍ନର ଉତ୍ତରରେ ମିଥୁନ କହିଛନ୍ତି, ସର୍ବଦା ଏହି ଅଭିଯୋଗ ହୋଇଥାଏ ଯେ ବିଜେପି ଦଙ୍ଗା କରାଇଥାଏ।  ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, ଏହା ବିଜେପି ବିରୋଧରେ ଏକ ଷଡଯନ୍ତ୍ର।

ମିଥୁନ ଏହା ମଧ୍ୟ କହିଛନ୍ତି, ବିଜେପିକୁ କଣ ପାଇଁ ମୁସଲିମ ବିରୋଧୀ କୁହାଯାଉଛି। ବିଜେପିର ୧୮ ରାଜ୍ୟରେ ସରକାର ରହିଛି। ଯଦି ବିଜେପି ସଂଖ୍ୟାଲଘୁ ସଂପ୍ରଦାୟକୁ ଘୃଣା କରୁଛି ତେବେ ସଲମାନ ଖାନ, ଶାହରୁଖ ଖାନ ଏବଂ ଅମିର ଖାନଙ୍କ ଫିଲ୍ମ କେମିତି ଏହି ରାଜ୍ୟଗୁଡିକରେ ଭଲ ବ୍ୟବସାୟ କରୁଛି। ମୁଁ ଆଜି ଯେଉଁଠି ପହଞ୍ଚି, ଏହାର କାରଣ ମୋତେ ହିନ୍ଦୁ, ମୁସଲିମ ଏବଂ ଶିଖ ସମସ୍ତେ ଭଲ ପାଆନ୍ତି।

ନିକଟରେ ପଶ୍ଚିମବଙ୍ଗରେ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ଯଦି କୌଣସି ପ୍ରମାଣ ନାହିଁ ତେବେ ନେତାଙ୍କୁ ଡରିବାର ଆବଶ୍ୟକତା ନାହିଁ। ଯଦି କେହି ଭୁଲ୍ କରିଛି ତେବେ ତାଙ୍କୁ କୌଣସି ଶକ୍ତି ବଞ୍ଚାଇ ପାରିବ ନାହିଁ।

Spread the love