WHOଙ୍କ ଦାବି, ମିଳିମିଳା କବଳରେ ବିଶ୍ୱର ୪ କୋଟି ଶିଶୁ

ନୂଆଦିଲ୍ଲୀ ୨୪।୧୧: କରୋନା ସଂକଟ ପରେ ଏବେ ଶିଶୁଙ୍କ ଉପରକୁ ଘନେଇଛି ମିଳିମିଳା ବିପଦ। ସାରା ବିଶ୍ୱରେ ଅନୁନ୍ୟ ୪ କୋଟି ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଆକଳନ କରିଛନ୍ତି। ଡବ୍ଲୁଏଚଓ ଏବଂ ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ(ସିଡିସି) ଏକ ମିଳିତ ବୟାନରେ କରୋନା ଯୋଗୁ ମିଳମିଳା ଟିକାକରଣରେ ବ୍ୟବଧାନ ଆସିଥିଲା ବୋଲି କହିଛନ୍ତି। ଫଳରେ ଗତବର୍ଷ ବିଶ୍ୱରେ ପ୍ରାୟ ୪୦ ମିଲିୟନ ଅର୍ଥାତ ୪ କୋଟି ଶିଶୁଙ୍କୁ ମିଳମିଳା ଟିକା ଦିଆଯାଇପାରି ନାହିଁ।

ଏବେ ବିଶ୍ୱରେ କୋଭିଡ-୧୯ ବିପଦ ଅପସରି ଆସୁଥିବା ବେଳେ ମିଳମିଳା ପ୍ରସରିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ମିଳମିଳା ବିପଦଜନକ ମାନବ ଭୂତାଣୁ ମଧ୍ୟରେ ଗୋଟିଏ ଯାହାକୁ ଟିକାକରଣ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରେ। ତେବେ ସାମୂଦାୟିକ ପ୍ରକୋପ ରୋକିବା ଲାଗି ଅନୁନ୍ୟ ୯୫ ପ୍ରତିଶତ ଟିକାକରଣର ଆବଶ୍ୟକତା ରହିଛି। କୋଭିଡ-୧୯ କଟକଣା ଓ ଟିକାକରଣରେ ୨୦୨୧ ମସିହାରେ ୪୦ ନିୟୁତ ଶିଶୁଙ୍କ ମିଳମିଳା ଟିକାକରଣ ହୋଇପାରିନଥିଲା। ଏଣୁ ବିଶ୍ୱରେ ଲକ୍ଷଲକ୍ଷ ଶିଶୁ ଏବେ ମିଳମିଳା ପ୍ରତି ସମ୍ବେଦନଶୀଳ। ଅଧିକାରୀଙ୍କ  ସୂଚନା ଅନୁସାରେ ୨୦୨୧ରେ ସାରା ବିଶ୍ୱରେ ୯ ନିୟୁତ ଶିଶୁ ମିଳମିଳାରେ ସଂକ୍ରମିତ ହୋଇଥିଲେ। ଯେଉଁମାନଙ୍କ ମଧ୍ୟରୁ ୧.୨୮ ଲକ୍ଷଙ୍କ ମୃତ୍ୟୁ ହୋଇଛି।

ଡବ୍ଲୁଏଚଓ ଏବଂ ସିଡିସି କହିଛନ୍ତି ଯେ ନିରନ୍ତର ଟିକାକରଣ ହ୍ରାସ, ରୋଗର ଦୁର୍ବଳ ନିରୀକ୍ଷଣ ଓ କୋଭିଡ-୧୯ ଯୋଗୁ ପ୍ରତିକ୍ରିୟା ଯୋଜନାରେ ବିଳମ୍ବ ଯୋଗୁ ଏବେ ବିଶ୍ୱର ୨୦ରୁ ଅଧିକ ଦେଶରେ ମିଳମିଳାର ପ୍ରକୋପ ଦେଖା ଦେଇଛି। ଏଥିରୁ ବିଶ୍ୱର ଏକ ବୃହତ୍ତ ଅଞ୍ଚଳରେ ମିଳମିଳା ଏବେ ବଡ ବିପଦର କାରଣ ହୋଇପାରେ ବୋଲି ଆକଳନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ମିଳମିଳାରେ ହେଉଥିବା ୯୫ ପ୍ରତିଶତରୁ ଅଧିକ ମୃତ୍ୟୁ ମାମଲା ବିକାଶଶୀଳ ଦେଶରେ ହେଉଛି। ଏଥିରୁ ଅଧିକାଂଶ ମୃତ୍ୟୁ ଆଫ୍ରିକୀୟ ଓ ଏସୀୟ ଦେଶମାନଙ୍କରେ ହେଉଛି। ମିଳମିଳାର କୌଣସି ବିଶେଷ ଚିକିତ୍ସା ବ୍ୟବସ୍ଥା ନାହିଁ। ତେବେ ଏହା ବିରୋଧରେ ଦୁଇଟି ଡୋଜର ଟିକା ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଏହା ୯୭ ପ୍ରତିଶତ ମୃତ୍ୟୁ ଆଶଙ୍କା ଟାଳି ପାରୁଛି।  

Spread the love