ମହରମ୍‌ ଶୋଭାଯାତ୍ରାରେ ଅଘଟଣ; ବିଦ୍ୟୁତ୍‌ ଆଘାତରେ ୪ ମୃତ

ବୋକାରୋ: ଆଜି ଝାଡ଼ଖଣ୍ଡର ବୋକାରୋରେ ଆୟୋଜିତ ମହରମ୍‌ ଶୋଭାଯାତ୍ରା ସମୟରେ ବିଜୁଳି ଆଘାତ ଯୋଗୁଁ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୧୩ଜଣ ଆହତ ହୋଇଥିବା କଥା ପୁଲିସ କହିଛି।ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୮୦ କିଲୋମିଟର୍‌ ଦୂର ପେତାରୱାର୍‌ ଥାନା ଅନ୍ତର୍ଗତ ଖେତ୍‌କୋ ଗ୍ରାମରେ ସକାଳ ୬ଟା ବେଳେ ଉକ୍ତ ଅଘଟଣ ଘଟିଛି। ଶୋଭାଯାତ୍ରାରେ ନିଆଯାଉଥିବା ‘ତାଜିଆ’ଟି ଉପରେ ଟଣାଯାଇଥିବା ୧୧,୦୦୦ ‘ହାଇଭୋଲ୍‌ଟେଜ୍‌’ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିବାରୁ ବିସ୍ଫୋରଣ ଘଟି ଉପରୋକ୍ତ ଅଘଟଣ ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

କିନ୍ତୁ, ବୋକାରୋ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରିୟଦର୍ଶୀ ଆଲୋକ କହିଛନ୍ତି, ପତାକା ଲାଗିଥିବା ଲୁହା ପାଇପ୍‌ ବିଜୁଳି ତାର ସଂସ୍ପର୍ଶରେ ଆସିବାରୁ ଏଭଳି ଅଘଟଣ ଘଟିଛି।ଅଘଟଣ ପରେ ପରେ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ବୋକାରୋ ଥର୍ମାଲ୍‌ ‘ଡିଭିସି’ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ୧୩ଜଣ ଆହତଙ୍କ ମଧ୍ୟରୁ ୯ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ଥିବା କଥା ଡାକ୍ତରଖାନାସୂତ୍ରରୁ ପ୍ରକାଶ। ସରକାରୀ କର୍ତ୍ତୃପକ୍ଷମାନେ ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ କରିଛନ୍ତି।

Spread the love