ନୂଆ ସ୍ତ୍ରୀ ସହିତ ରହୁଛନ୍ତି ୫ ବର୍ଷ ପୂର୍ବେ ମୃତ ଘୋଷିତ ୪୫ ବର୍ଷିୟ ସ୍ବାମୀ

ମିରଟ: ନିରୁଦ୍ଦିଷ୍ଟ ହେବା ପରେ ପୁଲିସଦ୍ବାରା ମୃତ ଘୋଷିତ ‌ହୋଇଥିବା ଉତ୍ତର ପ୍ରଦେଶର ବାଗପତ ଅଞ୍ଚଳର ଜଣେ ୪୫ ବର୍ଷିୟ ବ୍ୟକ୍ତି ଏବେ ତାଙ୍କର ନୂଆ ସ୍ତ୍ରୀଙ୍କ ସହିତ ଦିଲ୍ଲୀରେ ବାସ କରୁଥିବା କଥା ରବିବାର ଦିନ ପୁଲିସ କହିଛି। ପ୍ରାୟ ୫ ବର୍ଷ ହେବ ନିଖୋଜ ଥିବା ସେ ବ୍ୟକ୍ତି ସମ୍ପ୍ରତି ଟ୍ୟାକ୍ସି ଚଳାଇ ସ୍ତ୍ରୀ ଓ ୪ ପିଲାଙ୍କୁ ନେଇ ସଂସାର ଚଳାଇଛନ୍ତି। ପୁଲିସ କହିଛି, ବାଗପତ ଅନ୍ତର୍ଗତ ସିଙ୍ଘାୱାଲି ଆହିରନିବାସୀ ଯୋଗେନ୍ଦ୍ର କୁମାର ୨୦୧୮ରୁ ନିଖୋଜ ହୋଇଯାଇଥିଲେ। ସେତେବେଳେ ଗୋଟାଏ ମାଡ଼ପିଟ ଘଟଣାରେ ଯୋଗେନ୍ଦ୍ର ଓ ତାଙ୍କ ଦୁଇ ଭାଇଙ୍କ ନାଁରେ ବେଦ ପ୍ରକାଶ ନାମରେ ଜଣେ ବ୍ୟକ୍ତି ଅପରାଧିକ ମାମଲା ରୁଜୁ କରିଥିଲେ। ସିଙ୍ଘାୱାଲି ଆହିରର ‘ଏସ୍‌ଏଚ୍‌ଓ’ ଜିତେନ୍ଦ୍ର ସିଂହ କହିଛନ୍ତି, ମାମଲା ରୁଜୁ ହେବା ପରେ ଯୋଗେନ୍ଦ୍ର ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାରବର୍ଗଙ୍କର ସନ୍ଦେହ ହୋଇଥିଲା କି, ସମ୍ଭବତଃ ପ୍ରକାଶ ତାଙ୍କୁ ହତ୍ୟା କରିଛନ୍ତି। ତେଣୁ, ସେମାନେ ମଧ୍ୟ ପ୍ରକାଶ ଓ ତାଙ୍କର ଦୁଇ ଭାଇଙ୍କ ନାଁ’ରେ ମାମଲା ରୁଜୁ କରାଇଲେ। କିନ୍ତୁ, ୮ ମାସ ତଦନ୍ତ କରିବା ପରେ କୁମାର ମୃତ ବୋଲି ପ୍ରମାଣ କରିବାକୁ ପୁଲିସ ସୁନିର୍ଦ୍ଦିଷ୍ଟ ପ୍ରମାଣ ପାଇଲା ନାହିଁ।

ରବିବାର ଦିନ ବାଗପତ ପୁଲିସ କହିଛି, ପଡ଼ି ରହିଥିବା ଗୋଟାଏ ଜାମିନ ମାମଲା ଲାଗି ଯୋଗେନ୍ଦ୍ର ଅଦାଲତକୁ ଯାଇଥିବା ବେଳେ ଦିଲ୍ଲୀରେ ଆମେ ତାଙ୍କର ସନ୍ଧାନ ପାଇଛୁ। ସେ ଟ୍ୟାକ୍ସି ଚଳାଉଛନ୍ତି ଏବଂ ଆଉ ଜଣେ ମହିଳାଙ୍କୁ ବାହା ହୋଇଛନ୍ତି। ତାଙ୍କ ଔରସରୁ ସେ ମହିଳାଙ୍କର ୪ଟି ସନ୍ତାନ ଜନ୍ମିଛନ୍ତି।

ପଚରା ଉଚରା ସମୟରେ ଯୋଗେନ୍ଦ୍ର ପୁଲିସକୁ କହିଛନ୍ତି ଯେ, ପ୍ରକାଶଙ୍କ ସହିତ ତାଙ୍କର ଶତ୍ରୁତା ଥିଲା। ଦିଲ୍ଲୀର ରୋହିଣୀରେ ଜଣେ ମହିଳାଙ୍କ ସହିତ ମଧ୍ୟ ତାଙ୍କର ପରକୀୟା ସମ୍ପର୍କ ଥିଲା। ୨୦୧୮ରେ ତାଙ୍କ ନାମରେ ମାମଲା ରୁଜୁ ହେବାରୁ ସେ ଦିଲ୍ଲୀ ଚାଲି ଆସି ସେ ମହିଳାଙ୍କ ସହିତ ବାସକଲେ। କିନ୍ତୁ, ଉତ୍ତର ପ୍ରଦେଶରେ ଥିବା ତାଙ୍କ ପରିବାରବର୍ଗ ଭାବିଲେ କି, ଅପହରଣ କରି ତାଙ୍କୁ ହତ୍ୟା କରାଯାଇଛି।

ସେପଟେ, ବାଗପତରେ ଥିବା ଯୋଗେନ୍ଦ୍ରଙ୍କ ସ୍ତ୍ରୀ ରୀତା କହିଛନ୍ତି, ୨୦୧୮ରୁ ଯୋଗେନ୍ଦ୍ର ତାଙ୍କୁ ଭେଟି ନାହାନ୍ତି କି, ପରିବାରର କୌଣସି ଲୋକଙ୍କ ସହିତ କଥାବାର୍ତ୍ତା କରିନାହାନ୍ତି। ସତ କ’ଣ ଜାଣିବା ଲାଗି ଆମେ ପୁଲିସକୁ ଅନୁରୋଧ କରିଥିଲୁ।

Spread the love