ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ୨୪ ଘଣ୍ଟାରେ ଗଲାଣି ୪୫ ଜୀବନ, ଆଗାମୀ ଦୁଇ ଦିନ ସ୍କୁଲ୍‌-କଲେଜ୍‌ ବନ୍ଦ

ଲକ୍ଷ୍ନୌ ୧୬/୦୯: ପ୍ରବଳ ବର୍ଷାରେ ବେହଲ ହୋଇପଡ଼ିଛି ଉତ୍ତରପ୍ରଦେଶ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବାଦଲ ଫଟା ବର୍ଷା ଯୋଗୁଁ ଗତ ୨୪ ଘଣ୍ଟାରେ ୪୫ ଲୋକଙ୍କର ମୃତ୍ୟୁ ହୋଇଛି। ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଅନେକ ଘର ମଧ୍ୟ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ସ୍ଥିତିକୁ ଦେଖି ରାଜ୍ୟରେ ଆଗାମୀ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ୍ କଲେଜ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ୟୁପି ପାଣିପାଗ ବିଭାଗର ନିର୍ଦ୍ଦେଶକ ଜେ.ପି ଗୁପ୍ତାଙ୍କ ସୂଚନା ଅନୁସାରେ, ପଡ଼ୋଶୀ ରାଜ୍ୟ ମଧ୍ୟପ୍ରଦେଶ ଓ ଆଖାପାଖ ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୁତ ହୋଇଥିବାରୁ ୟୁପିରେ ବର୍ଷା ହେଉଛି। ୨୪ ଘଣ୍ଟାରେ ମୌସୁମୀ ସକ୍ରିୟ ରହିଛି। ରାଜ୍ୟରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ମଧ୍ୟ ହୋଇଛି। ଫଳରେ ରାଜ୍ୟରେ ଗଛ, ବିଦ୍ୟୁତ ଖୁଣ୍ଟ ଉପଡ଼ି ପଡ଼ିବା ଭଳି ଘଟଣା ସାମ୍ନାକୁ ଆସିଛି।୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଲଗାତର ଦୁଇଦିନ ଧରି ହେଉଥିବା ବର୍ଷାରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଜୁଳି ସେବା ବାଧାପ୍ରାପ୍ତ ହେବାରୁ ଟ୍ରେନଗୁଡ଼ିକ ଷ୍ଟେସନ୍‌ରେ ପଡ଼ି ରହିଛି। ଏହି ଦୁଇଦିନରେ ରାଜ୍ୟରେ ସବୁଠାରୁ ଅଧିକ କ୍ଷତି ସହିତ ରାଜଧାନୀ ଲକ୍ଷ୍ନୌ ଓ ଅୱଧରେ ହୋଇଛି। ଏଠାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପ୍ରୟାଗରାଜ, କୌଶାମ୍ବୀ ଓ ପ୍ରତାପଗଡ଼କୁ ମିଶାଇ ୧୪ ଜଣଙ୍କର ଜୀବନ ଯାଇଛି। ମଧ୍ୟ ୟୁପି, ବୁନ୍ଦେଲଖଣ୍ଡରେ ୭ ଓ ପୂର୍ବାଞ୍ଚଳରେ ୬ ଲୋକଙ୍କର ମୃତ୍ୟୁ ହୋଇିଥିବା ବେଳେ ବାରାବାଙ୍କୀରେ ୫ ଓ ଲକ୍ଷ୍ନୌରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଚାଷ କାମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Spread the love