ନାବାଳିକାର ଚୁଟି ଧରି ବାହାହେବାକୁ ଜିଦ ଧରିଲା ୪୭ ବର୍ଷ ବୟସ୍କ ଦୁର୍ବୃତ୍ତ

ରାୟପୁର ରାଜରାସ୍ତାରେ ନିଶାସକ୍ତ ଯୁବକର ଉନ୍ମତକାଣ୍ଡ । ଜଣେ ନାବାଳିକାକୁ ବାହାହେବାକୁ ଜିଦ୍ କରି ଦୁର୍ବୃତ୍ତ ବିଫଳ ହେବାରୁ ଧାରୁଆ ଅସ୍ତ୍ରରେ ହାଣି ଲହୁଲୁହାଣ କରିଦେଇଛି । ରାଜରାସ୍ତା ଉପରେ ଯୁବତୀର ଚୁଟି ଧରି ଟାଣି ଟାଣି ନେବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାହାହେବା ପାଇଁ ଜିଦ ଧରିଥିବା ଏହି ବ୍ୟକ୍ତି ଜଣକ ଗୋଟିଏ ହାତରେ ନାବାଳିକାର ଚୁଟି ଧରିଥିବା ଆଉ ଗୋଟିଏ ହାତରେ ଧାରୁଆ ଅସ୍ତ୍ର ଧରିଥିବାର ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଲୋକଟିର ହାତରେ ଧାରୁଆ ଅସ୍ତ୍ର ଥିବାରୁ ତାକୁ ଅଟକେଇବାକୁ କେହି ସାହାସ କରୁ ନାହାନ୍ତି । ସୂଚନା ଅନୁସାରେ ରାୟପୁର ସହରର ଓଁକାର ତିୱାରି ନାମକ ଜଣେ ବ୍ୟକ୍ତି ଏହି ଭୟାନକ କାଣ୍ଡ ଘଟାଇଛି ।ଓଁକାର ପେଶାର ଜଣେ ବ୍ୟବସାୟୀ , ତାଙ୍କର ଏକ କିରାନା ଦୋକାନ ରହିଛି । ଏହି ଦୋକାନରେ ସେହି ନାବାଳିକା ଜଣକ କାମ କରୁଥିଲେ ।

କିନ୍ତୁ କାମ ଛାଡିଦେବା ଏବଂ ବକେୟା ପଇସା ମାଗିବାରୁ ଉତକ୍ଷିପ୍ତ ହୋଇଯାଇଥିଲେ ଓଁକାର । ସୂଚନା ଅନୁସାରେ ଲକଡାଉନ ସମୟରେ ଏହି ନାବାଳିକା ଜଣକ ଓଁକାରଙ୍କ ଦୋକାନରେ କାମ କରୁଥିଲେ । କିନ୍ତୁ ସ୍କୁଲ ଖୋଲିବା ପରେ ଆଉ ଦୋକାନକୁ ଯାଇ କାମ କରିବାକୁ ରାଜି ହୋଇନଥିଲେ । ତେବେ ବକେୟା ଟଙ୍କା ମାଗିବାକୁ ଆସିବା ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏହି ଘଟଣା ଘଟାଇବା ପୂର୍ବରୁ ଫୋନ କରି ନାବାଳିକାଙ୍କ ମାଆଙ୍କୁ ଓଁକାର କହିଥିଲେ, ତୁମ ଝିଅକୁ ଆଣି ମୋ ଘରେ ଛାଡି ଯାଅ । ତାକୁ ବାହା ହେବାକୁ ଚାହୁଁଛି । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ନାବାଳିକାଙ୍କ ମାଆ । ପ୍ରସ୍ତାବରେ ରାଜି ନହେବାରୁ ଓଁକାର ଏହାର ପରିଣତ ଭୋଗିବା ପାଇଁ ମାଆ-ଝିଅ ପ୍ରସ୍ତୁତ ରୁହ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ନାବାଳିକା ଝିଅର ବୟସ ୧୬ ବର୍ଷ ହୋଇଥିଲା ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୪୭ ବର୍ଷ ଥିବା ଜଣାପଡିଛି । ଏସବୁ ବିବାଦ ଭିତରେ ଆଜି ଏଭଳି ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି ।

Spread the love