ଖଣି ମାଲିକଙ୍କୁ ୨ ଦିନ ଅଟକ ରଖି ପିଟିଲେ, ମାଗିଲେ ୧୦ ଲକ୍ଷର ଦାଦାବଟି : ସାମ୍ବାଦିକାଙ୍କ ସହ ୪ ଅଟକ

ଭୁବନେଶ୍ୱର,୨୮/୦୮: ଆଗ ଧାଡି଼ର ସାମ୍ବାଦିକ ବୋଲି ପରିଚୟ ଦେଲେ । କିଛି ଭିଡିଓ ଓ ତଥ୍ୟ ପଠାଇ ଅଫିସକୁ ଆସି ମୂଲଚାଲ କରିବାକୁ କହିଲେ । ନହେଲେ, ଖଣି ଦୁର୍ନୀତିର ପର୍ଦ୍ଦାଫାଶ କରି ଫସାଇ ଦେବାକୁ ଧମକ ଦେଲେ । ୨ ବ୍ୟବସାୟୀ ଡରିମରି ଅଫିସ୍‌କୁ ଆସିବା ପରେ ଆରମ୍ଭ ହେଲା ଅତ୍ୟାଚାର । ଗୋଟିଏ ଘରେ ୨ ଦିନ ବନ୍ଦୀ ରଖି ୨ ବ୍ୟବସାୟୀଙ୍କୁ ନିସ୍ତୁକ ପିଟିଲେ । ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କଲେ ।

ନନ୍ଦନନକାନନ ଥାନାରେ ଏମିତି ସଙ୍ଗୀନ ଅଭିଯୋଗ ହୋଇଛି । ପୁଲିସ୍‌ ଘଟଣାର ତଦନ୍ତ କରି ଜଣେ ମହିଳା ସାମ୍ବାଦିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ସାମ୍ବାଦିକା ଜଣକ ହେଲେ, ‘ଲାଇଭ୍‌ କଳିଙ୍ଗ’ ୱେବ୍‌ ପୋର୍ଟାଲର ପ୍ରିୟମ୍ବଦା ନାୟକ । ପୁଲିସ ଘଟଣାରେ ମହିଳା ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ୨ କର୍ମଚାରୀଙ୍କୁ ଅଟକ ରଖିଛି । ଘଟଣାର ମାଷ୍ଟରମାଇଣ୍ଡ ୱେବ୍‌ ପୋର୍ଟାଲର ସିଇଓ ରାଜ୍‌ ନାମକ ଯୁବକ ଫେରାର୍‌ ଅଛନ୍ତି ।କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ସେ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନ କରନ୍ତି । ଯୋଡ଼ା ବଡ଼ବିଲ୍‌ରୁ ସେମାନଙ୍କ ଟ୍ରକ ଯୋଗେ ମାଲ୍‌ ପାରାଦୀପ ବନ୍ଦର ଓ ଅନ୍ୟଆଡକୁ ପଠାଯାଏ ।

ଦୁଇ ସପ୍ତାହେ ତଳେ ପ୍ରିୟମ୍ବଦା ଫୋନ୍‌ କରି ପୂର୍ଣ୍ଣଚନ୍ଦ୍ରଙ୍କୁ କହିଥିଲେ, ମୁଁ ଜଣେ ରିପୋର୍ଟର । ଲାଇଭ୍‌ କଳିଙ୍ଗ ପକ୍ଷରୁ ଫୋନ୍‌ କରାଯାଇଛି । ଆପଣଙ୍କ ପରିବହନରେ ଘୋଟାଲା ନେଇ ଆମେ ଏକ ଷ୍ଟିଙ୍ଗ ଅପରେସନ କରିଥିଲୁ । ଆପଣ ବିରୋଧରେ ଏକାଧିକ ପ୍ରମାଣ ରହିଛି । ଆପଣଙ୍କ ସଂସ୍ଥା ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଛି । ତୁରନ୍ତ ଭୁବନେଶ୍ୱର ଆସି ଆମ ଅଫିସରେ ଦେଖା କରନ୍ତୁ । ନଚେତ୍‌, ଆମେ ଘୋଟାଲା ଖବର ପରିବେଷଣ କରିଦେବୁ । ଏମିତି ଫୋନ୍‌ କଲ୍‌ରେ ପୂର୍ଣ୍ଣଚନ୍ଦ୍ର ପୁରା ଡରି ଯାଇଥିଲେ । ଗତ ୧୫ ତାରିଖରେ ସେ ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ସହ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରସ୍ଥିତ ଉକ୍ତ ୱେବ୍‌ ପୋର୍ଟାଲ ଅଫିସକୁ ଆସିଥିଲେ । ସେଠାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ୱେବ୍‌ପୋର୍ଟାଲ ମାଲିକ ରାଜ୍‌ ଓ ଅନ୍ୟ କର୍ମଚାରୀମାନେ ଧମକ ଦେଇ ୧୦ ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ନିର୍ଦ୍ଦୋଷ ବୋଲି ଦର୍ଶାଇ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ । ଶେଷରେ ରାଜ୍‌ ରାଗିଯାଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ । ଦୀର୍ଘ ୨ ଦିନ ଧରି ୱେବ୍‌ ପୋର୍ଟାଲ କର୍ମଚାରୀମାନେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ଲୁହା ରଡ଼, କାଠ ଫାଳିଆରେ ଉଭୟଙ୍କୁ ପିଟି ପିଠି, ହାତ, ଗୋଡ଼, ନିତମ୍ବରେ ଲୋଳା ବସାଇ ଦେଇଥିଲେ ।

ସେପଟେ ଉଭୟଙ୍କ ଫୋନ୍‌ରୁ ପରିବାର ଲୋକଙ୍କୁ ଧମକାଇ ୧୦ ଲକ୍ଷ ଟଙ୍କା ମାଗିଥିଲେ । ପରିବାର ଲୋକେ ୧୦ ଲକ୍ଷ ଦେଇ ଉଭୟଙ୍କୁ ମୁକୁଳାଇ ଥିଲେ । ତେବେ ଦୁଇ ଦିନ ତଳେ ଉଭୟ ବ୍ୟବସାୟୀ ଏନେଇ ଥାନାରେ ଏତଲା ଦେଇଥିଲେ । ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଏକ ଟିମ୍‌ ସେଠାକୁ ଯାଇ ୪ ଅଭିଯକ୍ତଙ୍କୁ ଉଠାଇ ଥାନାକୁ ଆଣିଛି ।

ଡିସିପି ଶ୍ରୀ ଦାଶ କହିଛନ୍ତି, ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସାମିଲ ଅଛନ୍ତି । ସେମାନଙ୍କୁ ଖୋଜାଚାଲିଛି । ଏମାନେ ପୂର୍ବରୁ ଏମିତି ଦାଦାବଟି ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ସେସବୁର ଖୋଳତାଡ଼ ଚାଲିଛି । ୱେବ ପୋର୍ଟାଲ ଅଫିସକୁ ସିଲ କରିଦିଆଯାଇଛି।

Spread the love