ରାଜ୍ୟରେ କରୋନା ନେଲା ୪ ମୁଣ୍ଡ

 ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ  ହୋଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଓ ଭଦ୍ରକ ଜିଲ୍ଲାର ଜଣେ ଥିବା ଜଣାଯାଇଛି। ଫଳରେ ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦ ଛୁଇଁଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ। ସେହିପରି ଭଦ୍ରକରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ମଧ୍ୟରେ  ଜଣେ ୬୫ ବର୍ଷୀୟା ମହିଳା ଥିବା ବେଳେ  ୫୮ ଓ ୬୩ ବର୍ଷୀୟ ୨ ପୁରୁଷ ଅଛନ୍ତି। ସେମାନଙ୍କ ମଧ୍ୟରୁ ମହିଳାଜଣକ ପୂର୍ବରୁ ମଧୁମେହ ଓ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୬୩ ବର୍ଷୀୟ ବ୍ୟକ୍ତିଜଣକ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ। ସେମାନଙ୍କ ବ୍ୟତୀତ ୫୮ ବର୍ଷୀୟ ବ୍ୟକ୍ତିଜଣକ ମଧ୍ୟ ପୂର୍ବରୁ ଟ୍ୟୁବୁକୁଲାର ମେନିନଜାଇଟ୍‌ସ ରୋଗରେ ପୀଡ଼ିତ ଥିଲେ।

ଭଦ୍ରକରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେ ପୂର୍ବରୁ ଡାଇବେଟିସ ଓ କିଡନୀଜନିତ ସମସ୍ୟା ଭୋଗୁଥିଲେ।

ଏହାବ୍ୟତୀତ କେନ୍ଦୁଝର ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି। କେନ୍ଦୁଝର ଜିଲ୍ଲାରୁ ଜଣେ ୪୨ ବର୍ଷୀୟ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ଦର୍ଶାଯାଇଛି। ଭଦ୍ରକ ଜିଲ୍ଲାର ଜଣେ ୮୮ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେ ପୂର୍ବରୁ କିଡନୀଜନିତ ରୋଗରେ ପୀଡ଼ିତ ଥିଲେ। ରାଜ୍ୟରେ କରୋନାରେ ଆକ୍ରାନ୍ତ ଥାଇ ଭିନ୍ନ କାରଣରୁ ମୃତକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।

Spread the love