ଭୀଷଣ ଥଣ୍ଡାରେ ଆମେରିକା-କାନାଡା ସୀମାରେ ୪ ଭାରତୀୟ ମୃତ

ଅସହ୍ୟ ଥଣ୍ଡାରେ ଆମେରିକା ସଂଲଗ୍ନ କାନାଡା ସୀମାରେ ଚାରି ଭାରତୀୟଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନବାଜତ ଶିଶୁ ମଧ୍ୟ ସାମିଲ୍। ଏହି ଘଟଣା ଭାରତୀୟ ଦୂତାବାସକୁ ସ୍ତବ୍ଧ କରି ଦେଇଛି। ତେବେ ଏହାକୁ ମାନବ ଚାଲାଣ ଘଟଣା ହୋଇଥିବା କୁହାଯାଉଛି। ଘଟଣା ବିଷୟରେ ପଚାରି ବୁଝିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।  ଘଟଣାଟି ବିଦେଶୀ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଏମର୍ସନ ନିକଟସ୍ଥ କାନାଡା-ଆମେରିକା ସୀମାରେ କାନାଡ ପାର୍ଶ୍ଵରୁ ଚାରି ମୃତଦେହ ଠାବ କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ସାବାଳକ ହୋଇଥିବା ବେଳେ ଜଣେ ନବଜାତ ଶିଶୁ ମଧ୍ୟ ସାମିଲ୍।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ଵିଟ୍ କରିଛନ୍ତି, କାନାଡା-ଆମେରିକା ସୀମାରେ ଜଣେ ଶିଶୁ ସମେତ ୪ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ଦୁଃଖଦାୟକ। ଏ ନେଇ କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅମର ବିସାରିଆ କହିଛନ୍ତି, ଭାରତୀୟ ଉଚ୍ଚାୟୋଗର ଏକ ଦଳ ଘଟଣାସ୍ଥଳକୁ ଯାଉଛନ୍ତି।  ସହଯୋଗ ଏବଂ ସାହାଯ୍ୟ ପାଇଁ ଟୋରଣ୍ଟୋରୁ ଏକ ଭାରତୀୟ ଦଳ ମୋନିଟୋବା ପଠାଯାଇଛି। ଘଟଣାର ଯାଞ୍ଚ ପାଇଁ କାନାଡା ଅଧିକାରୀଙ୍କ ସହିତ କାମ କରିବୁ ବୋଲି ଅମର ବିସାରିଆ କହିଛନ୍ତି।

ଅମର ବିସାରିଆ କହିଛନ୍ତି, ସମସ୍ତଙ୍କ ମୃତ୍ୟୁ ଭୀଷଣ ଥଣ୍ଡାରେ  ହୋଇଛି କି ନାହିଁ ତାର ତଦନ୍ତ ଆରମ୍ଭ ହୋଇ ଯାଇଛି। ଚାରି ମୃତଦେହ ସୀମାଠୁ ୯ ରୁ ୧୨ ମିଟର ଦୂରରେ ମିଳିଛି। କୁହାଯାଉଛି ଚାରି ମୃତକ ସେହି  ଗୋଷ୍ଠୀରେ ସାମିଲ୍ ଥିଲେ, ଯେଉଁମାନଙ୍କୁ ସୀମା ନିକଟସ୍ଥ  ଆମେରିକା କ୍ଷେତ୍ରରୁ ଧରା ଯାଇଥିଲା। ସମସ୍ତେ ମାନବ ଚାଲାଣରେ ସାମିଲ୍ ଥିବା କୁହାଯାଉଛି।

Spread the love