ଲୁଣ ଭାବି ଖାଇଦେଲେ ବିଷ: ୪ ଗୁରୁତର

ଔରଙ୍ଗାବାଦ: ଲୁଣ ଭାବି ପିଜୁଳି ସହ ବିଷ ଖାଇଦେଲେ ୪ ଯୁବତୀ | ଆଉ ବିଷକ୍ରିୟା ଯୋଗୁଁ ଏବେ ସେମାନେ ଗୁରୁତର ହୋଇପଡିଛନ୍ତି | ଆଜି ସନ୍ଧ୍ୟାରେ ବିହାରର ଔରଙ୍ଗାବାଦ ଜିଲ୍ଲାର କୁଟୁମ୍ବା ପୁଲିସ ଷ୍ଟେସନ ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଛି | ଦୁଇ ଭଉଣୀଙ୍କ ସମେତ ଚାରିଜଣ ସାଙ୍ଗ ଗୁରୁତର ହୋଇପଡିଛନ୍ତି | ଚାରିଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସମସ୍ତଙ୍କୁ ଚିକିତ୍ସା ପାଇଁ ଗ୍ରାମୀଣ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ଏବେ ସେମାନଙ୍କୁ ଔରଙ୍ଗାବାଦକୁ ପଠାଯାଇଛି | ସମ୍ପର୍କୀୟଙ୍କ କହିବାନୁସାରେ, ଚାରିଜଣ ଏକାଠି ପିଜୁଳି ତୋଳିବାକୁ ଯାଇଥିଲେ | ପିଜୁଳି ତୋଳିବା ପରେ ଏଥିରେ ଲୁଣ ଲଗାଇ ଖାଇଥାନ୍ତେ | ତେବେ ସେମାନେ ଭୁଲବଶତଃ ଲୁଣ ବଦଳରେ ବିଷାକ୍ତ ପଦାର୍ଥ ପିଜୁଳି ସହ ଖାଇଥିଲେ | ଏହାପରେ ବିଷକ୍ରିୟା ଯୋଗୁଁ ସେମାନଙ୍କ ଅବସ୍ଥା ବିଗିଡିଯାଇଥିଲା | ୪ ଜଣ ଯୁବତୀଙ୍କର ବାନ୍ତି ହେବା ସହ ଅବସ୍ଥା ଗୁରୁତର ହୋଇପଡ଼ିଥିଲା | ଏବାବଦରେ ଗ୍ରାମବାସୀ ଜାଣିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ତେବେ ଏହି ଘଟଣା ବାବଦରେ ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ବାସ୍ତବରେ ସେମାନେ କିଭଳି ବିଷ ପିଇଲେ, ସେବାବଦରେ ପଚରାଉଚୁରା ଚଳାଇଛି |

Spread the love