ଚୀନ୍‌ର ପୂର୍ବ ପ୍ରାନ୍ତରେ ତୀବ୍ର ଭୂମିକମ୍ପ: 10 ଆହତ

ବେଜିଙ୍ଗ୍‌: ଶନିବାର ରାତି ପାହାନ୍ତା ପୂର୍ବରୁ ଚୀନ୍‌ର ପୂର୍ବ ପ୍ରାନ୍ତରେ ଭୂମିକମ୍ପ ହୋଇ ଅନେକ ଘରଦ୍ବାରା ଭାଙ୍ଗିଯିବା ସହିତ ୧୦ଜଣ ଲୋକ ଆହତ ହୋଇଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। କିନ୍ତୁ, ଏଥିରେ କାହାରି ମୃତ୍ୟୁ ଘଟିନାହିଁ। ‘ଚାଇନା ଆର୍ଥକ୍ବେକ୍‌ ନେଟ୍‌ୱାର୍କସ୍‌ ସେଣ୍ଟର୍‌’ କହିବା ଅନୁସାରେ, ଶନିବାର ରାତି ୨:୩୩ରେ ଚୀନ୍‌ର ରାଜଧାନୀ ବେଜିଙ୍ଗ୍‌ର ଦକ୍ଷିଣ ପ୍ରାନ୍ତକୁ ପ୍ରାୟ ୩୦୦ କିଲୋମିଟର୍‌ ଦୂର ଦେଝୌ ନଗରୀ ନିକଟରେ ୫.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ। କିନ୍ତୁ, ‘ୟୁ. ଏସ୍‌. ଜିଓଲୋଜିକାଲ୍‌ ସର୍ଭେ’ କହିବା ଅନୁସାରେ, ଭୂମିକମ୍ପର ତୀବ୍ରତା ଥିଲା ୫.୪। ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣକାରୀ ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍‌’ ଏବଂ ଅନ୍ୟାନ୍ୟ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ କରିଛନ୍ତି ଯେ, ଭୂମିକମ୍ପ ଯୋଗୁଁ ୭୪ଟି ଘର ଭାଙ୍ଗିପଡ଼ିଛି ଓ ୧୦ଜଣ ଲୋକ ଆହତ ହୋଇଛନ୍ତି।

ଟେଲିଭିଜନ୍‌ରେ ପ୍ରସାରିତ ଭିଡିଓରେ ଦେଖାଯାଉଛି, ଦେଝୌ ବାସିନ୍ଦାମାନେ ଘରୁ ବାହାରି ଆସି ଅନ୍ଧକାରରେ ରାସ୍ତା ଉପରେ ଧାଁଦୌଡ଼ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ ଦେଖାଯାଉଛି ଫାଟି ଯାଇଥିବା କାନ୍ଥରୁ ଇଟା ସବୁ ଖସି ପଡୁଛି। କ୍ଷତି ଘଟିଥିବାର ଆଶଙ୍କା କରି ଟ୍ରେନ୍‌ ଲାଇନ୍‌ଗୁଡ଼ିକୁ ଯାଞ୍ଚ କରାଯାଉଛି ବୋଲି ‘ଚାଇନା ନିଉଜ୍‌ ସର୍ଭିସ୍‌’ କହିଛି। ‘ସିସିଟିଭି’ କହିଛି ଯେ, ପାଇପ୍‌ ନଷ୍ଟ ହୋଇଯାଇଥିବାରୁ କେତେକ ଅଞ୍ଚଳରେ ଗ୍ୟାସ୍‌ ଯୋଗାଣ ବନ୍ଦ କରାଯାଇଛି। ଭୂମିକମ୍ପ ଭୂପୃଷ୍ଠର ଯେତେ ନିକଟରେ ସଂଘଠିତ ହେବ, ତା’ର ତୀବ୍ରତା ସେତେ ଅଧିକ ଅନୁଭୂତ ହେବ ବୋଲି ଆମେରିକାର ‘ଜିଓଫିଜିସିଷ୍ଟ’ ଆବ୍ରିଉ ପ୍ୟାରିସ୍‌ କହିଛନ୍ତି।

Spread the love