ସୋଆ ପ୍ରାଚୀନ ପକ୍ଷରୁ ଲେଖା ସମ୍ପାଦନ ଉପରେ ୫-ଦିନିଆ କର୍ମଶାଳା ଉଦ୍ଯାପିିତ
ଭୁବନେଶ୍ୱର, ଏପ୍ରିଲ ୨୯ : ପୁରାତନ ଓଡ଼ିଆ ପୋଥିଗୁଡ଼ିକର ଲେଖା ସମ୍ପାଦନା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରୋପ।।ଗେସନ୍ ପ୍ରିଜରଭେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚାରାଲ ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ସୋମବାର ଏଠାରେ ୫-ଦିନିଆ କର୍ମଶାଳା ଉଦ୍ଯାପିତ ହୋଇଯାଇଛି । ଏହି କର୍ମଶାଳାରେ ଲେଖା ସମ୍ପାଦନାରେ ଦକ୍ଷତା ବୃଦ୍ଧି ପାଇଁ ୧୫ ଜଣ ଗବେଷକଙ୍କୁ ତାଲିମ ଦିଆଯିବା ସହ ମାନପତ୍ର ପ୍ରଦାନ କରାଯାଇଛି । ସୋଆ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଉଦ୍ଯାପନୀ କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଧରଣର କର୍ମଶାଳା ଆୟୋଜିତ ହୋଇ ନଥିଲା । ଏହି କର୍ମଶାଳାରେ ଗବେଷକମାନେ ପୋଥି ସାହିତ୍ୟ ଓ ପୋଥି ସମ୍ବନ୍ଧୀୟ ଜ୍ଞାନ ଆହରଣ କରିପାରିଛନ୍ତି । ଏହି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ତିନି ଜଣ ବିଶେଷଜ୍ଞ ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ କର୍ମଶାଳାରେ ଯୋଗ ଦେଇଥିବା ଗବେଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଗବେଷକମାନଙ୍କୁ ପ୍ରଶିକ୍ଷିତ କରିବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ । ପ୍ରାଚୀନ ସାହିତ୍ୟ ସଂପର୍କରେ ଧାରଣା ପାଇବା ସହିତ ପୋଥିର ଲେଖନୀ ଶୈଳୀ ଓ ଶଦ୍ଦ ସଂଯୋଜନା ଓ ସବିଶେଷରେ ସୂଚନା ଓ ଶିକ୍ଷା ଲାଭ କରିପାରିଛନ୍ତି ବୋଲି ପ୍ରଫେସର ପଣ୍ଡା କହିଥିଲେ । ଏଭଳି ପ୍ରୟାସ ଦ୍ୱାରା ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ବିଶେଷ ସହାୟକ ହେବ ବୋଲି ଗବେଷକମାନେ ନିଜ ଅନୁଭୂତି ମାଧ୍ୟମରେ ପ୍ରକାଶ କରିଥିଲେ । ଏହି କର୍ମାଶାଳାରେ ଯୋଗଦେଇଥିବା ୧୫ ଜଣ ଗବେଷକମାନଙ୍କୁ ପ୍ରଫେସର ପଣ୍ଡା ମାନପତ୍ର ପ୍ରଦାନ କରିଥିଲେ । ଉଦ୍ଘାଟନୀ ଅବସରରେ ପ୍ରାଚୀନର ପ୍ରାଚୀନ ବକ୍ତୃତାମାଳା-୨ ସମ୍ପାନ ‘ସାହିତ୍ୟର ନୃତତ୍ୱ’ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ସୋଆର ନୃତତ୍ୱ ଓ ଆଦିବାସୀ ଅଧ୍ୟୟନ ବିଭାଗର ଏମିରଟସ୍ ପ୍ରଫେସର ଜଗନ୍ନାଥ ଦାଶ ଯୋଗଦେଇ ସାହିତ୍ୟ ଓ ନୃତତ୍ୱର ସଂପର୍କ ଏବଂ ସାହିତ୍ୟକୁ କିପରି ନୃତତ୍ୱ ପ୍ରଭାବିତ କରେ ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ମାନବ ବିଦ୍ୟାର ଗବେଷଣା ସୃଷ୍ଟ ସାହିତ୍ୟ କାଳଜୟୀ ହୋଇଥାଏ ଏବଂ ସାଧାରଣ ମଣିଷର ଚେତନାକୁ ପ୍ରଭାବିତ କରିଥାଏ ବୋଲି ପ୍ରଫେସର ଦାଶ ପ୍ରକାଶ କରିଥିଲେ । ଏହି ଅବସରରେ ସୋଆ ପ୍ରାଚୀନର ସଂସ୍କୃତି ଓ ଅଧ୍ୟୟନ ବିଭାଗର ପ୍ରଫେସର ସନ୍ତୋଷ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ନିହାର ରଂଜନ ମିଶ୍ର ଓ ଶ୍ରୀ ଜୀବନ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀ ବିଭୂତି ପ୍ରସାଦ ସାହୁ ଓ ଶ୍ରୀ ସମ୍ବିତ ପଟ୍ଟନାୟକ ସହଯୋଗ କରିଥିଲେ ।