ନଜରବନ୍ଦୀ ଥିବା କଶ୍ମୀରର ୫ ନେତାଙ୍କୁ ମୁକ୍ତ କରାଗଲା

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ୫ ରାଜନେତାଙ୍କୁ ଆଜି ନଜରବନ୍ଦୀରୁ ମୁକ୍ତ କରାଯାଇଛି । ଦୀର୍ଘ ୫ମାସ ଧରି ନଜରବନ୍ଦୀ ଥିବା ଙ୍କୁ ମୁକ୍ତ କରାଯାଇଛି । ଏହି ୫ ଜଣ ନେତା ହେଲେ ନ୍ୟାସନାଲ କନଫ‌ରେନ୍ସର ଗୁଲାମ୍ ନବୀ ଭଟ୍‌ ଓ  ଇସଫାକ୍ ଜବ୍ବାର, ପିଡିପିର ଜାହୁର ମୀର୍‌ ଓ ୟାସିର ରିସି ଏବଂ କଂଗ୍ରେସର ବସିର ମୀର ।

ସେମାନଙ୍କୁ ଗତ ଅଗଷ୍ଟ ୫ ତାରିଖଠାରୁ ଶ୍ରୀନଗରର ଏମଏଲଏ ହଷ୍ଟେଲରେ ନଜରବନ୍ଦୀ କରି ରଖାଯାଇଥିଲା । ମୁକ୍ତ କରିଥିବା ନେତାମାନଙ୍କୁ ଏକ ଚୁକ୍ତିନାମା ସହ ମୁକ୍ତ କରାଯାଉଛି । ଏହି ଚୁକ୍ତି ଅନୁସାରେ ସେମାନେ ସରକାରଙ୍କ ବିରୁଦ୍ଧରେ କିମ୍ବା ଧାରା ୩୭୦ ପ୍ରତ୍ୟାହାର ପ୍ରସଙ୍ଗରେ କୌଣସି ବୟାନ ଦେବେ ନାହିଁ । ଉଲ୍ଲେଖଯୋଗ୍ୟ କି ସରକାର ପୂର୍ବରୁ ମଧ୍ୟ କେତେକ ନେତାଙ୍କୁ ମୁକ୍ତ କରିସାରିଛନ୍ତି ।

କିନ୍ତୁ କଶ୍ମୀରର ତିନି ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମର ଅବଦୁଲ୍ଲା ଓ ମେହେବୁବା ମୁଫତି ଏବେ ବି ନଜରବନ୍ଦୀ ଅଛନ୍ତି । ସେମାନଙ୍କ ମୁକ୍ତି ନେଇ ଏ ପର୍ଯ୍ୟନ୍ତ ସରକାର କୌଣସି ସମୟ ସୀମା ଧାର୍ଯ୍ୟ କରିନାହାନ୍ତି ।

ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଂଟରନେଟ୍ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ପରେ ପର୍ଯ୍ୟାୟକ୍ରମେ ଟେଲିଫୋନ ଓ  ଇଂଟରନେଟ୍ ସେବା ଆରମ୍ଭ ହୋଇଥିଲା ।

Spread the love