୫୦ଲକ୍ଷ ନୂଆ ସଭ୍ୟ ସଂଗ୍ରହ କରିବାକୁ ବିଜେପିର ଲକ୍ଷ୍ୟ

ସମଗ୍ର ରାଜ୍ୟରେ ୫୦ଲକ୍ଷ ନୂଆ ସଭ୍ୟ ସଂଗ୍ରହ କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ଭୀମଟାଙ୍ଗୀଠାରେ ରାଜ୍ୟ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବା ସହ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତିି, “ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥିରେ ଆଜି ଆରମ୍ଭ ହୋଇଥିବା ଏହି ସଦସ୍ୟତା ଅଭିଯାନ ଦେଶର ପୁନଃନିର୍ମାଣରେ ସହଭାଗିତା କରିବା ସହ ଏକ ନୂଆ ଭାରତ ଏବଂ ନୂଆ ଓଡ଼ିଶା ଗଠନ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ରାଜ୍ୟର ସମସ୍ତ ୩୬ ହଜାର ବୁଥରେ ଓଡ଼ିଆ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହାତମୁଠାକୁ ଆଗାମୀ ଦିନରେ ଆହୁରି ଟାଣ କରିବେ। ଏବେସୁଦ୍ଧା ସମଗ୍ର ଦେଶରେ ୧୧ କୋଟି ଓ ରାଜ୍ୟରେ ୩୬ ଲକ୍ଷ ଲୋକ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଆଜିଠୁ ଏହାକୁ ବ୍ୟାପକ କରାଯିବ। ପ୍ରତିବୁଥରେ ସଦସ୍ୟତା ଗ୍ରହଣ କରାଯିବା ସହ ବୃକ୍ଷରୋପଣ କରାଯିବ।”

ସେହିପରି ଭୁବନେଶ୍ୱର ଲୋକସଭା ସାସଂଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଗଠନ କରାଯିବ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ୧୬୪୯ ବୁଥରେ ସଦସ୍ୟତା ଅଭିଯାନକୁ ଆଗକୁ ନେବାସହ ସମସ୍ତ ବର୍ଗର ଲୋକମାନଙ୍କୁ ବିଜେପି ସହ ଯୋଡ଼ାଯିବ। ‘ଗୋଟିଏ ଟିମ୍ ଓ ଗୋଟିଏ ଲକ୍ଷ୍ୟ’ ରଖି ସଦସ୍ୟତା ଅଭିଯାନକୁ ସଫଳ କରାଇବାର ସଂକଳ୍ପ ନିଆଯାଇଛି। ନିଜ ନିଜ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ବାଣ୍ଟିବା ସହ ସଦସ୍ୟତା ଅଭିଯାନକୁ ଆଗକୁ ନିଆଯିବ।

Spread the love