୫୧ ଇଞ୍ଚ ଲମ୍ବା କଳା ପଥରରେ ୫ ବର୍ଷର ଶିଶୁ ରୂପରେ ଶ୍ରୀରାମ

ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିରରେ ପ୍ରତିଷ୍ଠା ହେବାକୁ ଥିବା ଭଗବାନ ରାମଙ୍କ ମୂର୍ତ୍ତି ସମ୍ପର୍କରେ ରାମମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୂଚନା ଦେଇଛନ୍ତି। ରାୟ କହିଛନ୍ତି ଯେ ଭଗବାନ ରାମଙ୍କ ମୂର୍ତ୍ତି ଏକ ପାଞ୍ଚ ବର୍ଷର ଶିଶୁ (ରାମଲାଲା)ଙ୍କ ରୂପରେ ରହିଛି। ଏହାକୁ ଗାଢ଼ କଳାରଙ୍ଗର ପଥରରେ ତିଆରି କରାଯାଇଛି ଏବଂ ଏହାର ଉଚ୍ଚତା ୫୧ ଇଞ୍ଚ। ମନ୍ଦିର ଗର୍ଭଗୃହରେ ଭଗବାନ ରାମଲାଲାଙ୍କ ମୂର୍ତ୍ତି ରଖାଯିବ ବୋଲି ରାୟ କହିଛନ୍ତି। ଭବ୍ୟ ମନ୍ଦିରର ପ୍ରଥମ ମହଲାରେ ସୀତା ଓ ହନୁମାନଙ୍କ ବ୍ୟତୀତ ଭଗବାନ ରାମଙ୍କ ଭାଇମାନଙ୍କ ମୂର୍ତ୍ତି ରଖାଯିବ କିନ୍ତୁ ଏଥିପାଇଁ ଆହୁରି ୮ ମାସ ସମୟ ଲାଗିବ ବୋଲି କୁହାଯାଇଛି। ଜାନୁଆରି ୨୨ରେ ଅଯୋଧ୍ୟାର ରାମମନ୍ଦିରରେ କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ‘ରାମଲାଲାଙ୍କ ମୂର୍ତ୍ତି’ ସ୍ଥାପନ କରାଯିବ। ତେବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମୂର୍ତ୍ତି ଚୟନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

ଭଗବାନ ଶ୍ରୀରାମଙ୍କ ମୂର୍ତ୍ତିର ଲମ୍ବ ଓ ଏହାର ପ୍ରତିଷ୍ଠାର ଉଚ୍ଚତା ଭାରତର ବିଶିଷ୍ଟ ମହାକାଶ ବୈଜ୍ଞାନିକଙ୍କ ପରାମର୍ଶକ୍ରମେ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯେ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥି ବା ରାମ ନବମୀରେ ଭଗବାନ ସୂର୍ଯ୍ୟ ନିଜେ ଶ୍ରୀରାମଙ୍କୁ ଅଭିଷେକ କରିବେ କାରଣ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟକିରଣ ସିଧାସଳଖ ତାଙ୍କ କପାଳରେ ପଡ଼ି ଏହାକୁ ଉଜ୍ଜ୍ୱଳ କରିବ। ଚେହେରାର କୋମଳତା, ଆଖିର ଚାହାଣି, ହସ ଓ ଶରୀରକୁ ଦୃଷ୍ଟିରେ ରଖି ଭଗବାନ ରାମଙ୍କ ମୂର୍ତ୍ତି ଚୟନ କରାଯାଇଛି ବୋଲି ରାୟ କହିଛନ୍ତି। ପାଣି ଓ କ୍ଷୀର ପଥର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। ଜାନୁଆରି ୨୨ରେ ଭବ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ପୂଜାର୍ଚ୍ଚନା ଉତ୍ସବରେ ଅଧ୍ୟକ୍ଷତା କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ମଞ୍ଚରେ ଉପସ୍ଥିତ ରହିବେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ସମାରୋହକୁ ୭ ହଜାରରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ବିଜେପି ମଧ୍ୟ ସାରା ଦେଶରେ ବୁଥ୍ ସ୍ତରରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ କରିବାକୁ ଯୋଜନା ଘୋଷଣା କରିଛି। ଜାନୁଆରି ୨୩ରେ ଭକ୍ତଙ୍କ ପାଇଁ ଖୋଲିବ ମନ୍ଦିର।

Spread the love