ତୃତୀୟ କିସ୍ତିରେ ଚାଷୀଙ୍କୁ ମିଳିଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଆରମ୍ଭ ହେଲା କାଳିଆ ଯୋଜନା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ କାଳିଆ କିସ୍ତିର ଶୁଭାରମ୍ଭ କରିଛନ୍ତି। ଆଜି କାଳିଆ ଯୋଜନାରେ ରାଜ୍ୟର ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨୦୦୦ ଟଙ୍କା ଲେଖାଏଁ ଜମା ହୋଇଛି। ଏହି ପରି ଚାଷୀଙ୍କ ଖାତାକୁ ମୋଟ୍ ୧୨୭୨ କୋଟି ଟଙ୍କା ପଠାଯାଇଛି। ପୂର୍ବରୁ ଦୁଇଟି କିସ୍ତିରେ ରାଜ୍ୟ ସରକାର ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୩ ଲକ୍ଷ ଚାଷୀଙ୍କୁ କାଳିଆର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ତୃତୀୟ କିସ୍ତିରେ ୨ ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି। ପୂର୍ବରୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ମୋଟ ୧୦ହଜାର ଟଙ୍କା ଯାଇଥିଲା। ଆଉ କାଳିଆ ଯୋଜନା ବାବଦକୁ ୧୨ ହଜାର ଟଙ୍କା ଦେବା ଲାଗି ଘୋଷଣା କରିଥିବା ରାଜ୍ୟ ସରକାର ଆଜି ୨ ହଜାର ଟଙ୍କା ଦେଇଛନ୍ତି । ଏଥିରେ ନାମ ମାତ୍ର ଓ କ୍ଷୁଦ୍ର ଚାଷୀ ୩୭ଲକ୍ଷ ଥିବା ବେଳେ ଭୂମିହୀନ ଚାଷୀ ୧୬ଲକ୍ଷ ଅଛନ୍ତି । କେନ୍ଦ୍ର ସରକାର କେବଳ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ପିଏମ କିଷାନ ଟଙ୍କା ଦେଉଛନ୍ତି। ତେବେ ରାଜ୍ୟସରକାର ଭୂମିହୀନ ଚାଷୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।
୨୦୧୯ ଜାନୁଆରୀ ୨୬ ତାରିଖରେ ୫୧ ଲକ୍ଷ ଚାଷୀଙ୍କୁ ପ୍ରଥମ କସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରିଥିଲେ ରାଜ୍ୟ ସରକାର। ଦ୍ବିତୀୟ କିସ୍ତି ନଭେମ୍ବର ମାସରେ ଯାଇଥିଲା । ସୂଚନା ଅନୁଯାୟୀ, ରାଜ୍ୟରେ ୫୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ରହିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେତେକ ଅଯୋଗ୍ୟ ହିତାଧିକାରୀ ରହିଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ପରେ ପ୍ରାୟ ୪୯ ହଜାର ଚାଷୀ କାଳିଆ ଯୋଜନାରୁ ବାଦ୍ ପଡିଛନ୍ତି।

Spread the love