ଓଡ଼ିଶାରେ ଦୁଇ ମାସରେ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ
ଭୁବନେଶ୍ବର: ଓଡ଼ିଶାରେ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ ହୋଇଛି। ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୨୨୫ଟି ନମୁନା ସଂଗୃହୀତ ହୋଇଥିଲା। ପରୀକ୍ଷା ପରେ ଏଥିରୁ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍ଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏଚ୍୩ଏନ୍୨ ଭାଇରସରେ କୋଭିଡ-୧୯ ଭଳି ଲକ୍ଷଣ ଦେଖାଯାଇଥାଏ, ଯାହାକି ସବୁ ବୟସ ବର୍ଗର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଏହି ଭୂତାଣୁ ଶୀଘ୍ର ବ୍ୟାପିପାରେ। ଏହାର ଲକ୍ଷଣ ହେଲା ଜ୍ବର, କଫ, ବାନ୍ତି, ଗଳା ଯନ୍ତ୍ରଣା, ଶରୀର ପୀଡ଼ା, ଥକ୍କା ଲାଗିବା ଆଦି। ଏଥି ସହିତ ଯଦି ଶ୍ବାସକ୍ରିୟାରେ ସମସ୍ୟା ଆସିଥାଏ ଏବଂ କ୍ରମାଗତ ଭାବେ ଜ୍ବର ହୋଇଥାଏ, ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଖାଇବାରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଦରକାର। ଇଣ୍ଡିଆନ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ମୁତାବକ ରୋଗ ପ୍ରତିଷେଧକ କମ ଥିବା ବରିଷ୍ଠ ନାଗରିକ ଓ ରୋଗୀ ଲୋକଙ୍କ ଠାରେ ଏହି ଗୁରୁତର ଲକ୍ଷଣ ଦେଖାଯାଇପାରେ।