ଦୁର୍ବୃତ୍ତ ଜାଳିଦେଲେ ୬ବାଇକ: ଭାଗ୍ୟବଶତଃ ବଞ୍ଚିଗଲା ୧୬ ଜୀବନ

ଜୟପୁର: ସୋମବାର ବିଳମ୍ବିତ ରାତି ସାଢ଼େ ଗୋଟାଏ ବେଳେ ଜୟପୁର ପାରାବେଡ଼ା ଶ୍ରୀରାମ ନଗର ଅଂଚଳର ରମେଶ ଚନ୍ଦ୍ର ବେ‌ହେରାଙ୍କ ଘର ପରିସରରେ ପସି ଜଣେ ଅଜଣା ଦୁର୍ବତ୍ତ ୬ଟି ବାଇକରେ ନିଆଁ ଲଗାଇ ଦେଇଛି। ନିଆଁରେ ୬ଟି ଯାକ ବାଇକ୍ ଭସ୍ମିଭୂତ ହୋଇଯାଇଛି। ଶ୍ରୀ ବେହେରାଙ୍କ ଘରେ ଭଡ଼ାରେ ରହୁଥିବା ତ‌ିନୋଟି ପରିବାରର ୬ଟି ବାଇକ୍ ଏହି ନିଆଁରେ ପୋଡ଼ିଯାଇଛି। ତେବେ ଭାଗ୍ୟ ବଶତଃ ୧୬ଜଣ ବଂଚିଯାଇଛନ୍ତି।
ସୂଚନା ଅନୁଯାୟୀ, ଗତ କାଲି ରାତିରେ ଜଣେ ଦୁର୍ବତ୍ତ ପାରାବେଡ଼ା ଶ୍ରୀରାମନଗର ଅଂଚଳରେ ଥିବା ରମେଶ ଚନ୍ଦ୍ର ବେହେରାଙ୍କ ଘର ପରିସରରେ ପାଚେରୀ ଡେଇଁ ପସିଥିଲା। ପ୍ରଥମ ଥର ପେଲ୍ ମାରିଥିବା ଦୁର୍ବତ୍ତ ଜଣକ ଦ୍ବିତୀୟ ଥର ପଶି ନିଆଁ ଲଗାଇ ଦେଇଥିଲା। ଗୋଟିଏ ବାଇକରେ ନିଆଁ ଲଗାଇଥିବା ବେଳେ ନିଆଁର ଝାସରେ ଏହି ପରିସରରେ ଥିବା ଆଉ ୫ଟି ବାଇକ୍ ଆଖି ପିଛୁଳାକେ ନିଆଁ ଲାଗିଯାଇଥିଲା। ନିଆଁର ଝାସ୍ ଓ ଧୁଆଁ ଏତେ ଜୋର ଥିଲା ଯେ ତଳମହଲାରୁ ଉପରମହଲାକୁ ବ୍ୟାପିବାରେ ଲାଗିଥିଲା। ଗାଡ଼ି ଗୁଡିକରେ ନିଆଁ ଲାଗିବା ପରେ ବିସ୍ପୋରଣ ହେବା ଭୟରେ ଘରେ ଥିବା ସମସ୍ତ ସାମଗ୍ରୀକୁ ଛାଡ଼ି ଉପରମହଲାର ଝରକା କାଚ ଭାଙ୍ଗି ଶାଢ଼ି ଜରିଆରେ ୧୬ଜଣ ବାହାରିଥି‌ବା କହିଛନ୍ତି ବିନୋଦ ଚର୍ତୁବେଦୀ। କିଛି ସମୟ‌ ପାଇଁ ସବୁ ମୃତ୍ୟୁକୁ ପାଖରୁ ଦେଖିଥିବା ଭଳି ଲାଗିଥିବା କହିଛନ୍ତି ବିନୋଦ।

ଏହି ନିଆଁରେ ସୋନିଆ ମୋଦିଙ୍କ ୨ଟି ସ୍କୁଟି, ଚର୍ତୁବେଦୀଙ୍କ ଜୁପିଟର ସ୍କୁଟି, ରବି ଚର୍ତୁବେଦୀଙ୍କ ଆପାଚେ ବାଇକ, ସୁନିଲ ଯାଦବଙ୍କ ହୋଣ୍ଡା ସାଇନ୍ ବାଇକ, ପ୍ରଶାନ୍ତ ଚର୍ତୁବେଦୀଙ୍କ ଟିଭିଏସ୍ ସ୍ପୋର୍ଟ ବାଇକ୍ ନିଆଁ ଲାଗି ସଂପୁର୍ଣ୍ଣ ଭସ୍ମିଭୂତ ହୋଇଛି। ନିଆଁର ଝାସରେ ଘରର ରଂଗ ସଂପୁର୍ଣ୍ଣ ବଦଳି ଯାଇଛି। ନିଆଁ ଲାଗିବା ପରେ ଜୟପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସାହି ପଡ଼ିଶା ସବୁ ନିଆଁ ଲିଭାଉଥିବା ବେଳେ ଅଗ୍ନିଶମ ବିଭାଗ ଆସି ପରେ ଲିଭାଇଥିଲେ। ଜୟପୁର ଟାଉନଥାନା‌ରେ ଏ ନେଇ ବିନୋଦ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଆସି ଯାଂଚ କରି ଫେରିଛି। ସିସିଟିଭି କ୍ୟାମେରାରେ ଜଣେ ‌ପିଲା ବୁଲୁଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ସହରରେ ପାରାବେଡ଼ା, ଶ୍ରୀରାମନଗର , ସନ୍ତୋଷୀ ମା ନଗର ଆଦି ଅଂଚଳରେ ପାଚେରୀ ଡ଼େଇଁ ପେଟ୍ରୋଲ ଚୋରୀ କରୁଥିବା ବି ଦେଖିବାକୁ ମିଳିଥିଲା। ଦୁର୍ବତ୍ତ ଜଣକ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି ବିନୋଦ। ପୁଲିସ ଏହାର ସଠିକ ତଦନ୍ତ କଲେ ଅଭିଯୁକ୍ତ ଚିହ୍ନଟ ହେବା ସହ କିଏ ଏଭଳି କରିବାକୁ ଉସୁକାଇଥିଲା କିମ୍ବା ଦୁର୍ବତ୍ତ ଜଣକ କାହିଁକି ଏଭଳି କରିଲା ସ୍ପଷ୍ଟ ହୋଇ ପାରିବ ବୋଲି କହିଛନ୍ତି ବିନୋଦ।

Spread the love