ମହାରାଷ୍ଟ୍ରର ବୁଲ୍‌ଢ଼ାଣା ଜିଲ୍ଲାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା: ୬ ମୃତ

ବୁଲ୍‌ଢ଼ାଣା: ଗତରାତିରେ ମହାରାଷ୍ଟ୍ରର ବୁଲ୍‌ଢାଣା ଜିଲ୍ଲା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ସୌଖୀନ ପର୍ଯ୍ୟଟକ ବସ୍‌ ପରସ୍ପର ସହିତ ଧକ୍କା ଖାଇବାରୁ ୨ଜଣ ମହିଳାଙ୍କ ସମେତ ପ୍ରାୟ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୫ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ମଲ୍‌କାପୁର ସହରର ଫ୍ଲାଏଓଭର୍‌ ଉପରେ ରାତି ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ଘଟିଥିବା କଥା ଜଣେ ପୁଲିସ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛି। ସେ କହିଛନ୍ତି, ଅମରନାଥ ଯାତ୍ରାରୁ ଫେରି ଗୋଟାଏ ବସ୍‌ ହିଙ୍ଗୋଲିକୁ ଯାଉଥିବା ବେଳେ ନାଶିକ ଆଡ଼କୁ ଯାଉଥିବା ଅନ୍ୟ ଏକ ବସ୍‌ ସହିତ ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଲା।

ନନ୍ଦୁର ନାକା ଫ୍ଲାଏଓଭର୍‌ ଉପରେ ଘଟିଥିବା ଏହି ଦୁର୍ଘଟଣାରେ ଅମରନାଥ ଯାତ୍ରାରୁ ଫେରୁଥିବା ବସ୍‌ର ଡ୍ରାଇଭର୍‌ଙ୍କର ମୃତ୍ୟୁ ହୋଇଯାଇଛି। ନାଶିକ ଆଡ଼କୁ ଯାଉଥିବା ବସ୍‌ଟି ବାଟରେ ଗୋଟାଏ ଟ୍ରକ୍‌କୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଦ୍ବିତୀୟ ବସ୍‌ର ଆଗକୁ ଚାଲି ଆସିବାରୁ ଦୁର୍ଘଟଣା ଘଟିଲା ବୋଲି ସେ କହିଛନ୍ତି। ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ।  ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪/୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। କିନ୍ତୁ, ତା’ ପୂର୍ବରୁ ସମସ୍ତ ଆହତ ଯାତ୍ରୀଙ୍କର ନିକଟରେ ଥିବା ଏକ ଗୁରୁଦ୍ବାରରେ ପ୍ରାଥମିକ ପ୍ରାଥମିକ ଉପଚାର କରାଯାଇଥିଲା। ଫ୍ଲାଏ ଓଭର୍‌ ଉପରୁ ଦୁର୍ଘଟଣାଗ୍ରସ୍ତ ବସ୍ ଦୁଇଟିକୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ବଭାବିକ ହୋଇଥିବା କଥା ରାଜପଥ ପୁଲିସ କହିଛି।

Spread the love