ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ, ୬ ମୃତ

ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ ଘଟି ଜଣେ ପିଲା ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୮ ଜଣ ଲୋକ ଆହତ ହୋଇଛନ୍ତି। ଏହି ଗୁଳିମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବନ୍ଧୁକଧାରୀମାନେ ଘରେ ପଶି ଗୁଳିମାଡ କରିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ସୋମବାର ରାତି ୩.୩୦ ମିନିଟ୍‌ରେ ଏହି ଗୁଳିକାଣ୍ଡ ଘଟିଛି। ଭିସାଲିଆର ପୂର୍ବରେ ଥିବା ଗୋସେନ ଅଞ୍ଚଳରେ ଅତି କମ୍ରେ ଦୁଇ ଜଣ ବନ୍ଧୁକଧାରୀ ଏହି ଗୁଳିକାଣ୍ଡ ଘଟାଇଥିବା ସୂଚନା ମିଳିଛି। କାଲିଫର୍ଣ୍ଣିଆରେ ହୋଇଥିବା ଗୁଳିକାଣ୍ଡରେ ଜଣେ ୧୭ ବର୍ଷୀୟ ମା ସହିତ ତାଙ୍କର ୬ ମାସର ଶିଶୁକୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି । ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ଘର ସାମ୍ନାରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘର ଭିତରୁ ପ୍ରାୟ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅତି ସଂକଟାପନ୍ନ ଅବସ୍ଥାରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେହିପରି ଆମେରିକାର ଫ୍ଲୋରିଡାରେ ମାର୍ଟିନ ଲୁଥର କିଙ୍ଗ ଦିବସ ସେଲିବ୍ରେସନ କରୁଥିବା ସମୟରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ନିକଟରେ ଆମେରିକାର ଭର୍ଜିନିଆର ନ୍ୟୁପୋର୍ଟ ନ୍ୟୁଜ ସହରର ଏଲିମେଣ୍ଟାରୀ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଥିଲା। ସ୍କୁଲରେ ଶିକ୍ଷୟିତ୍ରୀ ଗାଳି ଦେବାରୁ ୬ ବର୍ଷର ପିଲା ଏଭଳି କାଣ୍ଡ ଘଟାଇଥିଲା । ଗୁଳି କରିଥିବା ପିଲାକୁ ଗିରଫ କରିଥିଲା ପୋଲିସ । ଆମେରିକାରେ ଗୁଳି ଚଳାଇବା ଘଟଣା ନୂଆ କଥା ନୁହେଁ। ଏହିପରି ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଏହିପରି ଗୁଳି ବିନିମୟରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା, ପବ୍, ମେଟ୍ରୋ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଏହି ଗୁଳି ବିନିମୟ ଘଟିଛି।

Spread the love