ଆଜି ରାଜ୍ୟରେ ସୁସ୍ଥ ହେଲେ ୬୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର, କରୋନା ଭାଇରସ୍ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ୨୧ଟି ଜିଲ୍ଲାରୁ ଆଜି ୬୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୧ ହଜାର ୯୩୮ରେ ପହଞ୍ଚିଛି

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୮୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, କଟକ ଜିଲ୍ଲାରୁ ୪୨ ଜଣ, କେନ୍ଦୁଝର ଜିଲ୍ଲାରୁ ୨୩ ଜଣ, ମାଲକାନଗିରି ଜିଲ୍ଲାରୁ ୨୧ ଜଣ, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ଜଣ ଲେଖାଏଁ, ମୟୂରଭଂଜ ଜିଲ୍ଲାରୁ ୧୨ ଜଣ, ବରଗଡ଼ ଜିଲ୍ଲାରୁ ୧୧ ଜଣ, କୋରାପୁଟ ଜିଲ୍ଲାରୁ ୯ ଜଣ, କନ୍ଧମାଳ ଜିଲ୍ଲାରୁ ୮ ଜଣ, ଅନୁଗୁଳ, ବାଲେଶ୍ୱର ଓ ନବରଙ୍ଗପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, ଗଜପତି ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୨-୨ ଜଣ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୩ ଲକ୍ଷ ୯୭ ହଜାର ୮୯୭ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏଥିରୁ ଏଯାଏଁ ୧୬ ହଜାର ୭୦୧ଟି ନମୁନା ରିପୋର୍ଟ ପଜିଟିଭ ଆସିଛି । ମୋଟ ୧୧ ହଜାର ୯୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୮୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏବେ ୪ ହଜାର ୬୫୧ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

 

Spread the love